ସ୍ପେନ୍: ଫୁଟବଲ୍ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ସ୍ପେନର ଦ୍ୱିତୀୟ ଡିଭିଜନ୍ ଲିଗ୍ ମ୍ୟାଚ୍ ସମୟରେ ପଡ଼ିଆ ମଧ୍ୟରେ ଗୋଲକିପରଙ୍କ ସହ ଭୟଙ୍କର ଧକ୍କା ହେବା କାରଣରୁ ସ୍ପାନିଶ ଫୁଟବଲର ଜିସସ ଡି ମିଗୁଏଲ ଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା।
ସୋମବାର ସିଡି ଟେନେରିଫେ ଏବଂ ଏଫସି ଆଣ୍ଡୋରା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗୋଲ୍ ସ୍କୋର କରିବା ପାଇଁ ପ୍ରଚେଷ୍ଟା କରୁଥିବା ସମୟରେ ଆଣ୍ଡୋରା ଦଳର ଗୋଲକିପର ଜିସସ ଓବୋନୋଙ୍କ ସହ ଟେନେରିଫେ ଷ୍ଟ୍ରାଇକର ମିଗୁଏଲଙ୍କର ଶକ୍ତ ଧକ୍କା ହୋଇଥିଲା। ଧକ୍କା ହେବା ମାତ୍ରେ ସେ ପଡ଼ିଆରେ ଅଚେତ ହୋଇ ପଡ଼ିଯାଇଥିଲେ। ପଡ଼ିଆରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ହୃଦ୍ଘାତ ହେତୁ ସଙ୍ଗୀନ୍ ସ୍ଥିତି ଉପୁଜିଥିଲା ଏବଂ ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏହି ଆକସ୍ମିକ ବିୟୋଗରେ ସିଡି ଟେନେରିଫ୍ କ୍ଲବ, ସ୍ପାନିଶ ଫୁଟବଲ ଆସୋସିଏସନ୍ ଏବଂ ସମଗ୍ର ବିଶ୍ୱର ଫୁଟବଲ ପ୍ରଶଂସକ ଗଭୀର ଶୋକପ୍ରକାଶ କରିଛନ୍ତି। ଫୁଟବଲ୍ ସମୁଦାୟ ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କ ପ୍ରତି ସମବେଦନା ଜଣାଇଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକ ଓ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ଖେଳାଳିଙ୍କ ଏପରି ଅକାଳ ବିୟୋଗ କ୍ରୀଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ସ୍ପାନିଶ ଫୁଟବଲ୍ ଫେଡେରେସନ୍ ପକ୍ଷରୁ ମୃତ ଖେଳାଳିଙ୍କ ସ୍ମୃତିରେ ଆଗାମୀ ମ୍ୟାଚ୍ଗୁଡ଼ିକରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯିବ ବୋଲି ଘୋଷଣା କରାଯାଇଛି।
