Latest Odisha News

BREAKING NEWS

ସାହାରା ମରୁଭୂମିରୁ ମିଳିଥିବା ଗୋଲାପୀ ପଥର ମଙ୍ଗଳ ଗ୍ରହର

ନୂଆଦିଲ୍ଲୀ: ୨୦୨୨ରେ ସାହାରା ମରୁଭୂମିରୁ ମିଳିଥିବା ପ୍ରାୟ ୮୦୦ ଗ୍ରାମ ଓଜନର ଏକ ଗୋଲାପୀ ରଙ୍ଗର ପଥର ମଙ୍ଗଳ ଗ୍ରହର ବୋଲି ଚିହ୍ନଟ ହୋଇଛି ।  ନାସାର ସହାୟତାରେ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଉଲ୍କାପିଣ୍ଡର ନାମ ତେଗହାଜା୦୦୧ ରଖାଯାଇଛି । ଏହା ମାଲିର ତେଘାଜା ଲୁଣିଆ ସମତଳ ଭୂମିରୁ ମିଳିଥିଲା । ପଥରରେ ଥିବା ଅକ୍ସିଜେନ୍ ଆଇସୋଟୋପ୍ ଏବଂ ଜିରକନ୍ କ୍ରିଷ୍ଟାଲ୍‌ରୁ ପରୀକ୍ଷା କରି ବୈଜ୍ଞାନିକମାନେ ନିଶ୍ଚିତ ହୋଇଛନ୍ତି ଯେ ଏହା ମଙ୍ଗଳ ଗ୍ରହର ଏବଂ ଏହାର ବୟସ ୪.୧ ବିଲିୟନ୍ (୪୧୦ କୋଟି) ବର୍ଷରୁ ଅଧିକ ।

ପଥରରେ ଥିବା କେତେକ ଖଣିଜ ପଦାର୍ଥ ଜଳ ସଂସ୍ପର୍ଶରେ ଆସି ବଦଳିଥିବାର ସ୍ପଷ୍ଟ ପ୍ରମାଣ ମିଳିଛି ।  ଏଥିରୁ ଜଣାପଡ଼ୁଛି ଯେ ପ୍ରାରମ୍ଭିକ ସମୟରେ ମଙ୍ଗଳ ଗ୍ରହ ଆଜି ପରି ଶୁଷ୍କ ଓ ଥଣ୍ଡା ନଥିଲା, ବରଂ ସେଠାରେ ଜଳର ଉପସ୍ଥିତି ଥିଲା । ତେବେ ଏହା ଜୀବସତ୍ତା ଥିବାର ସିଧାସଳଖ ପ୍ରମାଣ ନୁହେଁ । କୌଣସି ବଡ଼ ମହାକାଶୀୟ ପିଣ୍ଡ ମଙ୍ଗଳ ଗ୍ରହ ସହ ଧକ୍କା ହେବା ଫଳରେ ଏହି ପଥର ଖଣ୍ଡଟି ମହାକାଶକୁ ଛିଟିକି ଆସିଥିଲା ଏବଂ ଦୀର୍ଘ ଯାତ୍ରା ପରେ ପୃଥିବୀର ସାହାରା ମରୁଭୂମିରେ ଖସିପଡ଼ିଥିଲା ।  ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ୧୩ଟି ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରିଛନ୍ତି, ଯାହାର ଖଣିଜ ସଂରଚନା ଏହି ପଥର ସହ ମିଶୁଛି ।

Leave A Reply

Your email address will not be published.