ନୂଆଦିଲ୍ଲୀ: ନକ୍ସଲବାଦ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ସହିତ, ଛତିଶଗଡ଼ରେ ପର୍ଯ୍ୟଟନ ବିକାଶ ପାଇଁ ଅପାର ସମ୍ଭାବନାର ନୂତନ ଦ୍ୱାର ଖୋଲିବାକୁ ଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ, ଘନ ଜଙ୍ଗଲ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ଐତିହାସିକ ଐତିହ୍ୟରେ ଗର୍ବ କରୁଥିବା ଛତିଶଗଡ଼ ଭବିଷ୍ୟତରେ ଦେଶର ପ୍ରମୁଖ ପର୍ଯ୍ୟଟନ ରାଜ୍ୟମାନଙ୍କ ମଧ୍ୟରେ ନିଜର ଅନନ୍ୟ ପରିଚୟ ପ୍ରତିଷ୍ଠା କରିବ। ଛତିଶଗଡ଼ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ୩ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରେ ସ୍ଥାନ ପାଇବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ।
ଛତିଶଗଡ଼ର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ‘ଛତିଶଗଡ଼ ରାଜ୍ୟୋତ୍ସବ-୨୦୨୬’ର ଉଦ୍ଯାପନୀ ସମାରୋହରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସମ୍ପୂର୍ଣ୍ଣ ଭାବେ ନକ୍ସଲମୁକ୍ତ ହୋଇସାରିଥିବାରୁ ଏବେ ସେଠାରେ ଶାନ୍ତି ଓ ସୁରକ୍ଷାର ବାତାବରଣ ସୃଷ୍ଟି ହୋଇଛି । ଏହା ଦ୍ବାରା ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ହେବ। ରାଜ୍ୟରେ ଥିବା ଚିତ୍ରକୋଟ ଜଳପ୍ରପାତ, ତୀରଥଗଡ଼ ଜଳପ୍ରପାତ, କାଙ୍ଗେର ଘାଟି ଜାତୀୟ ଉଦ୍ୟାନ, ମା’ ଦନ୍ତେଶ୍ୱରୀ ମନ୍ଦିର, ମା’ ବମ୍ଲେଶ୍ୱରୀ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ ବସ୍ତର ଦଶହରା ଆଦି ପର୍ଯ୍ୟଟନ ସ୍ଥଳ ଦେଶ-ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସମ୍ପୂର୍ଣ୍ଣ କ୍ଷମତା ରଖିଛି ।
ପୂର୍ବରୁ ଛତିଶଗଡ଼ର ମାଟି ଧନୀ କିନ୍ତୁ ଲୋକେ ଗରିବ ବୋଲି କୁହାଯାଉଥିଲା, ହେଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଭୟ ରାଜ୍ୟର ମାଟି ଓ ଜନସାଧାରଣ ସମୃଦ୍ଧ ହେବେ । ଏହି ଅବସରରେ ନୂଆ ରାୟପୁରକୁ ଏକ ଇକୋ-ଫ୍ରେଣ୍ଡଲି ସିଟିରେ ପରିଣତ କରିବା ପାଇଁ ୫ ଲକ୍ଷ ଅଶ୍ଵତ୍ଥ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଭାରତୀୟ ଜନତା ପାର୍ଟିର ଡବଲ୍ ଇଞ୍ଜିନ ସରକାର ରାଜ୍ୟକୁ ଭୟର ବାତାବରଣରୁ ମୁକ୍ତ କରି ଭରସା ଓ ସମୃଦ୍ଧି ଆଡ଼କୁ ନେଇଯାଉଛି ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି।
