ଭୁବନେଶ୍ୱର: ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶାରେ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପୱନ୍ କଲ୍ୟାଣଙ୍କ ସୂଚନା ଅନୁଯାୟୀ, ଦୁଇଟି ବ୍ୟାଚ୍ରେ ଏହି ପ୍ରଶିକ୍ଷଣ ଚଳିତ ବର୍ଷ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ପୂର୍ଣ୍ଣ ତାଲିମ ପ୍ରକ୍ରିୟା ଡିସେମ୍ବର ମାସ ସୁଦ୍ଧା ଶେଷ ହେବ।
ନୂଆଦିଲ୍ଲୀରୁ ପ୍ରଶିକ୍ଷିତ ହୋଇ ଆସିଥିବା ଜାତୀୟ ସ୍ତରର ପ୍ରଶିକ୍ଷକମାନେ ଓଡ଼ିଶାର ୮୦ ଜଣ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏହାପରେ, ଏହି ମାଷ୍ଟର ଟ୍ରେନରମାନେ ୧,୭୦୦ ଜଣ ଜନଗଣନା ସୁପରଭାଇଜର ଓ ଫିଲ୍ଡ ଟ୍ରେନରଙ୍କୁ ପ୍ରଶିକ୍ଷଣ ଦେବେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୧.୨ ଲକ୍ଷ ଗଣନାକାରୀ (Enumerators) ତାଲିମ ପାଇବେ। ଏହି ଜନଗଣନା ମୁଖ୍ୟତଃ ଡିଜିଟାଲ୍ ମାଧ୍ୟମରେ କରାଯିବ। ଆସନ୍ତା ଜାନୁଆରୀ ୧୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ନାଗରିକମାନେ ଅନଲାଇନ୍ ପୋର୍ଟାଲ୍ ବା ଆପ୍ ଜରିଆରେ ନିଜର ତଥ୍ୟ ନିଜେ ଦାଖଲ କରିପାରିବେ।
ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ଲୋକଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। ଏହାପରେ ମାର୍ଚ୍ଚ ୧ରୁ ୫ ତାରିଖ ଯାଏଁ ୫ ଦିନ ଧରି ପୁନଃ ନିରୀକ୍ଷଣ (Revision Exercise) କାର୍ଯ୍ୟ କରାଯିବ। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଲୋକମାନଙ୍କୁ ସାମାଜିକ, ଶିକ୍ଷାଗତ, ସ୍ୱାସ୍ଥ୍ୟ, ରୋଜଗାର ତଥା ଜାତି ଓ ଧର୍ମ ସମ୍ପର୍କିତ ପ୍ରାୟ ୪୦ଟି ପ୍ରଶ୍ନ ପଚରାଯିବ। ସୂଚନା ଥାଉକି, ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଘର ତାଲିକାଭୁକ୍ତ ଓ ଗୃହ ଗଣନା (HLO) ପ୍ରକ୍ରିୟା ରାଜ୍ୟରେ ସଫଳତାର ସହ ସମାପ୍ତ ହୋଇସାରିଛି। ଆସନ୍ତା ଏପ୍ରିଲ୍ ୨୦୨୭ ସୁଦ୍ଧା ସମଗ୍ର ଜନଗଣନା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
