ଭବାନୀପାଟଣା:ଓଡ଼ିଶା ରାଜନୀତିର ବିଶିଷ୍ଟ ଜନନେତା,ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା (୮୮)ଙ୍କ ପରଲୋକ ଘଟିଛି। ଭବାନୀପାଟଣା ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।୧୯୭୭ ଓ ୧୯୮୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୦ରେ କଳାହାଣ୍ଡି ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ରାସ ବିହାରୀ ବେହେରା ଜଣେ ସାହିତ୍ୟିକ ମଧ୍ୟ ଥିଲେ। ତାଙ୍କ ରଚିତ ଉପନ୍ୟାସ-ବିଜୟୀ ଓ ଭ୍ରମଣ ସାହିତ୍ୟ-ଅନନ୍ୟସୃଷ୍ଟି କାନାଡ଼ା ବେଶ୍ ଲୋକାଦୃତ ହୋଇଥିଲା। ସେ ଅନନ୍ୟସୃଷ୍ଟି କାନାଡ଼ା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ। କେବଳ ରାଜ୍ୟ ରାଜନୀତି ନୁହେଁ, ୧୯୮୦ ମସିହାରେ ସେ କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇ ୭ମ ଲୋକସଭାରେ ଅଞ୍ଚଳବାସୀଙ୍କ ସମସ୍ୟା ଓ ବିକାଶର ସ୍ୱର ଉତ୍ତୋଳନ କରିଥିଲେ ।
୧୯୩୮, ଅପ୍ରେଲ ୧୨ ତାରିଖ ଦିନ ମହିଚଲା ଗାଁରେ ପ୍ରସନ୍ନ କୁମାର ବେହେରା ଓ ରାଜେଶ୍ୱରୀ ବେହେରା ପୁତ୍ର ଭାବେ ଜନ୍ମିତ ରାସ ବିହାରୀ ଛାତ୍ର ଜୀବନରୁ ସାହିତ୍ୟ, କ୍ରୀଡ଼ା ପ୍ରତି ରୁଚି ରଖିଥିଲେ। ଉଚ୍ଚ ଶିକ୍ଷା ପରେ ସେ ଭବାନୀପାଟଣା ନଗରପାଳ ଓ ୨ ଥର କୋକସରା ବିଧାୟକ ଏବଂ ଥରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଳାହାଣ୍ଡି ଜିଲା କ୍ରୀଡ଼ା ସଂଘ, କଳାହାଣ୍ଡି ଲେଖକ କଳା ପରିଷଦର ସେ ପ୍ରତିଷ୍ଠାତା ସଭାପତି ଥିବା ବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଭାବେ ଦୀର୍ଘ ବର୍ଷ ଦାୟିତ୍ୱରେ ଥିଲେ। ଜିଲାର ସଂସ୍କୃତି, କ୍ରୀଡ଼ା ଏବଂ ସାହିତ୍ୟର ଉନ୍ନତି କ୍ଷେତ୍ରରେରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସହିତ ଜିଲା ମହକୁମାରୁ ଅଗମ୍ୟ ଥୁଆମୂଳ ରାମପୁରକୁ ସଡ଼କ ତିଆରି ସହିତ ବସ ଚଳାଚଳ ଆରମ୍ଭ କରିବାରେ ତାଙ୍କ ଭୂମିକାକୁ ଅନେକ ମନେ ପକାନ୍ତି।ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
