Latest Odisha News

BREAKING NEWS

ସୋନମ ୱାଙ୍ଗଚୁକଙ୍କୁ ଝଟ୍‌କା, ଲେହ ସ୍କୁଲରେ ସମସ୍ତ ଅନଧିକୃତ କାର୍ଯ୍ୟକଳାପ ବନ୍ଦ ନିର୍ଦ୍ଦେଶ

ଲଦାଖ: ଅଡୁଆରେ ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକ୍ । ଲେହରେ ତାଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସବୁ କାର୍ଯ୍ୟକଳାପ ବନ୍ଦ ପାଇଁ ଲଦାଖ ପ୍ରଶାସନ ନୋଟିସ୍ ଜାରି କରିଛି । ଲେହର ଫିୟାଙ୍ଗରେ ରହିଛି ସୋନମଙ୍କ ଡେଜର୍ଟ ଫ୍ଲାୱାର ସ୍କୁଲ୍ । ସେଠାରେ ସବୁ କାର୍ଯ୍ୟକଳାପ ବନ୍ଦ ପାଇଁ ତାଙ୍କ ସୋନମଙ୍କ ପତ୍ନୀ ଗୀତାଂଜଳୀ ଆଙ୍ଗମୋଙ୍କୁ ନିର୍ଦ୍ଦେଶ ହୋଇଛି । ସୋନମଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟାନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲ୍ଟରନେଟିଭି ବା ଏଚଆଇଏଏଲ ଅଧୀନରେ ଏହି ସ୍କୁଲ ପରିଚାଳିତ ହେଉଛି । ନଭେମ୍ବର ୧ରେ ଲେହ ତହସିଲଦାରଙ୍କ ଅଫିସରୁ ଏଚଆଇଏଏଲର ସହ-ପ୍ରତିଷ୍ଠାତା ତଥା ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଂଜଳୀ ଜେ. ଆଙ୍ଗମୋଙ୍କୁ ଏହି ନୋଟିସ୍ ପଠାଯାଇଛି । ଆବଶ୍ୟକୀୟ ଅନୁମତି, ଏନଓସି ଏବଂ ସରକାରୀ ମଂଜୁରୀ ନନେଇ ସ୍କୁଲରେ ପାଠପଢା ସହ ଅନ୍ୟାନ୍ୟ ଆକ୍ଟିଭିଟି ଆରମ୍ଭ କରାଯାଇଥିବାରୁ ପ୍ରଶାସନ ଆପତ୍ତି ଉଠାଇଛି ।

ମାମଲା ପଛରେ ଜମି ବିବାଦ ଥିବା ଅଭିଯୋଗ ହୋଇଛି । ଏଚଆଇଏଏଲକୁ ଆବଂଟନ କରାଯାଇଥିବା ହଜାରେ ୭୬ କେନାଲ ଜମି ପ୍ରାୟ ୧୩୪.୫ ଏକର ଜମି ଆବଂଟନକୁ ପ୍ରଶାସନ ବାତିଲ କରିଥିଲା । ଏହି ନିଷ୍ପତ୍ତିକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି । ଏହି କାରଣରୁ ହାଇକୋର୍ଟଙ୍କ ଚୂଡାନ୍ତ ରାୟ ନଆସିବା ଯାଏଁ ସ୍କୁଲର କାର୍ଯ୍ୟକଳାପ ନକରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏଥିସହ ମାମଲାରେ ଯେପରି କୌଣସି ପକ୍ଷରୁ ପ୍ରଭାବିତ ନହୁଏ ସେଥିପାଇଁ ପୂର୍ବସ୍ଥିତି ବଜାୟ ରଖିବାକୁ କୁହାଯାଇଛି । ଅନ୍ୟପଟେ ଗତ ଜୁଲାଇ ମାସର ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିବାଦରେ ସାମିଲ ହୋଇଥିଲେ ସୋନମ ୱାଙ୍ଗଚୁକ୍ । ନିଟ୍‌-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ବିରୋଧରେ ସେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଜବାବଦେହିତା ଦାବି କରିଥିଲେ । ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା ପରେ ୨୬ ଦିନରେ ସେ ଅନଶନ ଭାଙ୍ଗିଥିଲେ ।

Leave A Reply

Your email address will not be published.