ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିଥିବା ବେଳେ ଏବେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ ମିଳିଛି। ଏହି ଘଟଣାକୁ ନେଇ ବୁଧବାର ଦିନ ଉତ୍ତେଜନା ଦେଖାଦେଇଛି।
ସୂତ୍ର ଅନୁଯାୟୀ, ୭ ନମ୍ବର ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି। ଛାତ୍ରୀମାନଙ୍କୁ ରାତ୍ରି ଭୋଜନରେ ଦିଆଯାଇଥିବା ‘ଚିଲି ସୋୟାବିନ୍’ ତରକାରୀ ମଧ୍ୟରୁ ଏକ ମୃତ ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରୀ ଓ ଅନ୍ୟମାନେ ଛାତ୍ରାବାସରେ ଖାଦ୍ୟର ସୁରକ୍ଷା ଏବଂ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଏହି ଘଟଣାକୁ ବିରୋଧ କରି ଛାତ୍ରାବାସର ଅନ୍ତେବାସୀମାନେ ପ୍ରବଳ ପ୍ରତିବାଦ କରିଛନ୍ତି। ଅସ୍ୱଚ୍ଛ ଖାଦ୍ୟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରୀମାନେ ଖାଦ୍ୟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଗତ କିଛି ଦିନ ହେବ ହଷ୍ଟେଲ ମେସ୍ରେ ଦିଆଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ଖରାପ ହୋଇଯାଇଛି। ସେମାନେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିଥିବା ସମୟରେ ଏଭଳି ଘଟଣା ଘଟିବା ଖାଦ୍ୟ ସୁରକ୍ଷା ଏବଂ ପାନୀୟ ଜଳର ଗୁଣବତ୍ତା ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
