କନୌଜ: ଉତ୍ତରପ୍ରଦେଶ କନୌଜରେ ଅଭାବନୀୟ ଘଟଣା । ଗୁରୁବାର ସକାଳୁ କନୌଜ ଜିଲ୍ଲା ଚିମ୍ବ୍ରମୌ ଥାନା ଅଧିନ ଜଗତପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ନୃଶଂସ ସ୍ୱାମୀ । ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ କରି ତାକୁ ଜୋର ଜବରଦସ୍ତି ଚେୟାରରେ ବାନ୍ଧି ପେଟ୍ରୋଲ ଢାଳି ଜାଳିଦେଇଥିବା ଆସିଛି ସଙ୍ଗୀନ ଅଭିଯୋଗ । ହତ୍ୟା ପରେ ପିଲାଙ୍କୁ ନେଇ ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ୱାମୀ । ମୃତକ ହେଲେ ୩୦ ବର୍ଷୀୟ ସୋନମ । ଘରେ ନିଆଁ ଲାଗିଥିବା ଓ ଚିତ୍କାର ଶୁଭୁଥିବାରୁ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ ପହଂଚି ନିଆଁ ଆୟତ୍ତ ହେବା ପରେ ଅବଶିଷ୍ଟାଂଶ ଉଦ୍ଧାର କରିଛି । ଅଭିଯୁକ୍ତ ସୁଖବୀର ସିଂହ ଓରଫ ମୋନୁ ନିଜର ୨ ପିଲା (୭ବର୍ଷର ପୁଅ, ୫ ବର୍ଷର ଝିଅ)ଙ୍କୁ ନେଇ କୁଆଡେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ମୋନୁ ଓ ସୋନମଙ୍କ ବିବାହକୁ ପ୍ରାୟ ୧୧ ବର୍ଷ ହୋଇଯାଇଥିଲା । ସୁଖବୀର ହରିୟାଣାର ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ୧୫ଦିନ ପୂର୍ବରୁ ସେ ଗାଁକୁ ଆସିଥିଲେ । ଘରେ ରହିବା ସମୟରେ ସ୍ତ୍ରୀ ସୋନମଙ୍କର ସ୍ଥାନୀୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ଜାଣିୁବାକୁ ପାଇଥିଲେ । ସନ୍ଦେହ ହେବାରୁ ସ୍ତ୍ରୀ ଉପରେ ନଜର ରଖିଲେ ସୁଖବୀର । ଯୁବକ ଏବଂ ସୋନମ ଫୋନରେ କଥା ହେଉଥିବା ବେଳେ ଜାଣିପାରିଥିଲେ ସୁଖବୀର । ଏହି କଥାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୁରୁବାର ସକାଳୁ ସକାଳୁ ଉଭୟଙ୍କ ମଧ୍ୟରେ ବଚସାରୁ ସୁଖବୀର ରାଗିଯାଇ ସୋନମଙ୍କୁ ଏକ ଚୌକିରେ ବାନ୍ଧି ଦେଇଥିଲେ । ତାପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆ଼ଁ ଦେଖି ପଡୋଶୀ ଦୌଡି ଆସିଲାବେଳକୁ ସ୍ୱାମୀ ସୁଖବୀର ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ନିଆଁ ଲିଭାଇବାକୁ ୨ଘଂଟା ସମୟ ଲାଗିଯାଇଥିଲା । ସେତେବେଳକୁ ସୋନମଙ୍କ ପୁରା ଶରୀର ପୋଡିଯାଇଥିଲା । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ପ୍ରୟାସ ଜାରି ରଖିଛି ।
