Latest Odisha News

BREAKING NEWS

ଗିଡ଼ିପାବାଲିରେ ବଢ଼ିଲା ମୃତ୍ୟୁସଂଖ୍ୟା: ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ-କନ୍ଧମାଳ ସୀମାନ୍ତବର୍ତ୍ତୀ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି । ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଯୋଗୁଁ ଭଞ୍ଜନଗର ବ୍ଲକର ଗିଡ଼ିପାବାଲି ଗାଁରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା। ପାଣିପାଗ ଖରାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିବା ପରେ, ଗୁରୁବାର ପୁଣି ଥରେ ଓଡ୍ରାଫ୍ (ODRAF), ଅଗ୍ନିଶମ ବାହିନୀ ଓ ଡିଭିଏଫ୍ (DVF) ଯବାନଙ୍କ ଦ୍ୱାରା ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ତେବେ ଘଟଣାସ୍ଥଳରୁ ଜଣେ ମହିଳା, ବାଳକ ଓ ଶିଶୁର ମୃତଦେହ ଉଦ୍ଧାରକାରୀ ଦଳ ଦ୍ବାରା ଠାବ କରାଯାଇଛି। ସପ୍ତାହେ ହେଲାଣି ଚାଲିଛି ଉଦ୍ଧାର କାର୍ଯ୍ୟ, ପୂର୍ବରୁ ୨ଟି ମୃତଦେହ ମିଳିଥିଲା। ଆଜି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ଚାଲିଛି ଉଦ୍ଧାର କାର୍ଯ୍ୟ। ନୂଆ କରି ଠାବ ହୋଇଥିବା ୩ ମୃତଦେହ ମଧ୍ୟରେ ଜଣେ ମହିଳା (ଭୂମିକା ପ୍ରଧାନ) ଏବଂ ଦୁଇ ଜଣ ନାବାଳକ (ଅରୁଣ ପ୍ରଧାନ ଓ ଅନ୍ୟ ଜଣେ) ସାମିଲ ଅଛନ୍ତି ।

ଏହା ପୂର୍ବରୁ ଘଟଣାସ୍ଥଳରୁ ୨ଟି ମୃତଦେହ ଉଦ୍ଧାର କରାଯାଇଥିଲା, ଯାହାକୁ ମିଶାଇ ଏହି ଦୁଃଖଦ ଦୁର୍ଘଟଣାରେ ଏବେ ସୁଦ୍ଧା ମୋଟ ୫ ଜଣଙ୍କ ମୃତଦେହ ମିଳିସାରିଲାଣି। ଘଟଣାସ୍ଥଳରେ ପ୍ରାୟ ୨୫ ରୁ ୩୦ ଫୁଟ୍‌ର ପଥର ଓ କାଦୁଅ-ମାଟି କୁଢ ଜମି ରହିଥିବାରୁ ଏବଂ କିଛି ପଥର ବହୁତ ବଡ଼ ହୋଇଥିବାରୁ ରେସ୍କ୍ୟୁ ଟିମ୍‌କୁ ପ୍ରବଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ପଥର ଗୁଡ଼ିକୁ ଛୋଟ କରିବା ପାଇଁ ବ୍ଲାଷ୍ଟିଂ ଓ ଡ୍ରିଲିଂ ମଧ୍ୟ କରାଯାଉଛି। ମାଟି ଅତଡ଼ା ତଳେ ଫସି ରହିଥିବା ଅନ୍ୟ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ପ୍ରଶାସନ ପକ୍ଷରୁ ସେଠାରେ ସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.