ନୂଆଦିଲ୍ଲୀ: ଭାରତରେ ପରିବାର ନିୟୋଜନକୁ ପ୍ରାୟତଃ ଦୁଇ ସନ୍ତାନର ନିୟମ ଏବଂ ଛୋଟ ପରିବାର ପାଇଁ ପରାମର୍ଶ ଦିଆଯାଏ। କିନ୍ତୁ ପରିବର୍ତ୍ତନଶୀଳ ସମୟ ସହିତ ଏହି ମାନସିକତା ପରିବର୍ତ୍ତନ ହେବା ଆବଶ୍ୟକ କି? ଗୋଟିଏ ପରିବାରରେ ଏବେ ଦୁଇଟି ବଦଳରେ ତିନୋଟି ସନ୍ତାନ ରହିବା ଉଚିତ କି? ଏହି ପ୍ରଶ୍ନ ଉପରେ ଦେଶରେ ଜୋରଦାର ବିତର୍କ ଚାଲିଛି। କାରଣ ୪ ନଭେମ୍ବର ୨୦୨୬ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ଶୁଣାଣିରେ କହିଛନ୍ତି ଯେ, ଦେଶରେ ଦୁଇଟିରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରୁଥିବା ଆଇନ ବର୍ତ୍ତମାନ ସମୟରେ ନିଜର ପ୍ରାସଙ୍ଗିକତା ହରାଇ ସାରିଛି।
ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ପ୍ରଜନନ ହାର (Fertility Rate) କୁ ଦୃଷ୍ଟିରେ ରଖି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ପି.ଏସ. ନରସିଂହ ଏବଂ ଜଷ୍ଟିସ ଆଲୋକ ଅରାଧେଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପ୍ରମୁଖ ମତ ରଖିଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ‘ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି’ର ଭୟରେ ଏହି ଆଇନ ପ୍ରଣୟନ କରାଯାଇଥିଲା, ତାହା ଗତ କିଛି ଦଶନ୍ଧି ମଧ୍ୟରେ ବଦଳିଯାଇଛି। ୨୦୦୩ ମସିହାରେ ଭାରତର ମୋଟ ପ୍ରଜନନ ହାର (TFR) ୩ ଥିବା ବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୧.୯ କୁ ଚାଲିଆସିଛି।
ଯଦି ଆମେ ଏହି ଜନସଂଖ୍ୟା ଗତ ପରିବର୍ତ୍ତନକୁ ଗୁରୁତ୍ଵ ନଦେବା, ତେବେ ଭବିଷ୍ୟତରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ବଢ଼ିଯିବ, ଯାହା ଭାରତ ପାଇଁ ଗମ୍ଭୀର ପରିଣାମ ଆଣିପାରେ। ଏଭଳି ଆଇନ ସମ୍ବିଧାନର ଧାରା ୨୧ (ଜୀବନ ଜୀଇଁବାର ଅଧିକାର) ଅନ୍ତର୍ଗତ ପ୍ରଜନନ ସ୍ଵାୟତ୍ତତା ଉପରେ ପ୍ରହାର କରେ। ଜଣେ ମହିଳାଙ୍କୁ ସନ୍ତାନ ଜନ୍ମ କରିବା କିମ୍ବା ନିର୍ବାଚନରେ ଭାଗ ନେବା ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ବାଧ୍ୟ କରିବା ଅନ୍ୟାୟ ଅଟେ।
୨୦୦୩ ମସିହାର ‘ଜାଭେଦ ବନାମ ହରିୟାଣା ରାଜ୍ୟ’ ମାମଲାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଦୁଇଟି ସନ୍ତାନ ନୀତିକୁ କାଏମ ରଖିଥିଲେ। ମାତ୍ର ବର୍ତ୍ତମାନର ସ୍ଥିତି ବଦଳି ଯାଇଥିବାରୁ ଏହି ନୀତିର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟ ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠ (Larger Bench) କୁ ପଠାଇଛନ୍ତି। ସୂଚନ ଥାଉକି, ମହାରାଷ୍ଟ୍ରର କାକୋଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ତୃତୀୟ ସନ୍ତାନ ଥିବା ଅଭିଯୋଗରେ ତାଙ୍କୁ ସରପଞ୍ଚ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଙ୍ଗଳାଙ୍କ ଅଯୋଗ୍ୟତା ଉପରେ ସ୍ଥଗିତାଦେଶ ଜାରି କରିବା ସହ ତାଙ୍କୁ ସରପଞ୍ଚ ପଦରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି।
