ମାଲକାନଗିରି: ସୁରକ୍ଷା ବାହିନୀକୁ ବଡ଼ ସଫଳତା । ମାଓବାଦୀଙ୍କ ବିରୋଧରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍ ସମୟରେ ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେଜି ହିଲ୍ସ ଜଙ୍ଗଲରୁ ୭୧୧ଟି ବିଜିଏଲ୍ ସେଲ୍ ଜବତ କରାଯାଇଛି ।
ପୋଲିସ, ସିଆରପିଏଫ୍ ଏବଂ କୋବ୍ରା ବାହିନୀର ମିଳିତ ଟିମ୍ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଜବତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷା ନିୟମ ଅନୁଯାୟୀ ନିଜ ହେପାଜତକୁ ନେଇଛନ୍ତି ସୁରକ୍ଷା ବାହିନୀ । ତାଡ଼ାପାଲା ଏଫ୍ଓବି ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ମିଳିଛି ।
ଏହି ଅଞ୍ଚଳରେ ଏବେ ମଧ୍ୟ ଆଇଇଡି ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା କରାଯାଉଛି । ସେନେଇ କର୍ରେଗୁଟ୍ଟା ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳକୁ ବର୍ତ୍ତମାନ ନଯିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି ।
