Latest Odisha News

BREAKING NEWS

Shah challenge Rahul: ସଂସଦରେ ମୁହାଁମୁହିଁ ହୁଅ ରାହୁଲ! ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, ‘ଜବାବ ସହି ପାରିବନି କଂଗ୍ରେସ’!

ନୂଆଦିଲ୍ଲୀ: ସଂସଦରେ ହେଉ ଆଲୋଚନା, ରାସ୍ତାରେ ନୁହେଁ! ବିରୋଧୀଙ୍କ ଆନ୍ଦୋଳନକୁ ନେଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଯଦି ତାଙ୍କ ପାଖରେ ସତ୍ୟ, ତଥ୍ୟ ଓ ଯୁକ୍ତି ଅଛି, ତେବେ ସଂସଦକୁ ଆସି ଆଲୋଚନା କରନ୍ତୁ। ଏପରିକି ବିରୋଧୀଙ୍କ ଉଠାଇଥିବା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାକୁ ମଧ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଶାହ। ହରିୟାଣାର କର୍ଣ୍ଣାଲରେ ଆୟୋଜିତ ‘ଲୋକତନ୍ତ୍ର ବଚାଓ, ଅରାଜକତା ହଟାଓ’ ରାଲିରେ ଏଭଳି ବୟାନ ଦେଇ ରାଜନୈତିକ ମାହୋଲକୁ ସରଗରମ କରିଛନ୍ତି ଗୃହମନ୍ତ୍ରୀ।

ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ ଦେଇ ଅମିତ ଶାହ କହିଛନ୍ତି, ଯଦି ଆପଣ ଦାୟିତ୍ୱବାନ ଆଲୋଚନା କରିବାକୁ ଚାହୁଁଛନ୍ତି, ଯଦି ଆପଣଙ୍କ ଅଭିଯୋଗରେ ସତ୍ୟ, ତଥ୍ୟ ଓ ଯୁକ୍ତି ରହିଛି, ତେବେ ସଂସଦ ଭିତରେ ଆସି ଆଲୋଚନା କରନ୍ତୁ। ଆସନ୍ତୁ, ମୁହାଁମୁହିଁ ହୋଇଯିବା। କିନ୍ତୁ ଆପଣ ଜବାବ ସହି ପାରିବେ ନାହିଁ। ପୂର୍ବଭଳି ଏଥର ମଧ୍ୟ ପଳାଇଯିବେ ବୋଲି କଟାକ୍ଷ କରିଛନ୍ତି ଶାହ। ଏହାସହ ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ଚାହୁଁଛନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ। ସରକାର ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାକୁ ପ୍ରସ୍ତୁତ। ଏସଆଇଆର (SIR) ପ୍ରକ୍ରିୟା ସମେତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଛ ପ୍ରଚାର ବନ୍ଦ କରନ୍ତୁ ବୋଲି ମଧ୍ୟ କହିଛନ୍ତି ଶାହ।

କଂଗ୍ରେସ ଉପରେ ସଂସଦର କାର୍ଯ୍ୟକୁ ବାଧା ଦେବା ଅଭିଯୋଗ ଲଗାଇଛନ୍ତି ଅମିତ ଶାହ। ତାଙ୍କ କହିବା ଅନୁସାରେ, ୨୦୨୪ ପରଠାରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ନିର୍ବାଚନୀ ପରାଜୟର ସାମ୍ନା କରୁଛି। ଦେଶର ଜନତା ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଶାହ କହିଛନ୍ତି, ଗଣତନ୍ତ୍ରରେ ସଂସଦ ହେଉଛି ଆଲୋଚନାର ସର୍ବୋଚ୍ଚ ମଞ୍ଚ। କିନ୍ତୁ ରାହୁଲ ଗାନ୍ଧୀ ସଂସଦକୁ ଚାଲିବାକୁ ଦେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନକରି ହଙ୍ଗାମା ଓ ୱାକଆଉଟ୍‌କୁ କଂଗ୍ରେସର ରାଜନୈତିକ ସଂସ୍କୃତି କରିଦେଇଛନ୍ତି। ସଂସଦରେ ଆଲୋଚନା ନକରି ରାସ୍ତାରେ ଭିଡ଼ ଜମା କରି ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ।

କଂଗ୍ରେସକୁ ଚେତାବନୀ ଦେଇ ଶାହ କହିଛନ୍ତି, ଭାରତୀୟ ଜନତା ପାର୍ଟି ସବୁଠି ଜବାବ ଦେବ। ସଂସଦ, ବିଧାନସଭା, ଗାଁ, କ୍ଷେତ, ରାସ୍ତାଘାଟ, ସବୁଠି ବିଜେପି କଂଗ୍ରେସର ରାଜନୀତିର ମୁକାବିଲା କରିବ। ଯଦି କଂଗ୍ରେସ ରାସ୍ତାରେ ଭିଡ଼ ଜମା କରିବ, ତେବେ ବିଜେପି କର୍ମୀ ମଧ୍ୟ ତାହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଶାହ। ଏହି ଅବସରରେ ନିର୍ବାଚନୀ ସଂସ୍ଥାଗୁଡ଼ିକ ଉପରେ ବିରୋଧୀଙ୍କ ଅଭିଯୋଗକୁ ନେଇ ଏକ କବାଡ଼ି ଖେଳର ଉଦାହରଣ ଦେଇଥିଲେ ଶାହ। ତାଙ୍କ କହିବା ଅନୁସାରେ, ଗୋଟିଏ ଖେଳରେ ବାରମ୍ବାର ହାରିବା ପରେ ହାରୁଥିବା ଦଳ ରେଫରିଙ୍କୁ ଠକ ବୋଲି କହିବା ଆରମ୍ଭ କରିଥିଲା। ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ନିଜର ପରାଜୟ ପାଇଁ ନିର୍ବାଚନୀ ସଂସ୍ଥାଗୁଡ଼ିକୁ ଦୋଷ ଦେଉଛନ୍ତି ବୋଲି କଟାକ୍ଷ କରିଛନ୍ତି।

ଅନ୍ୟପଟେ, ନିର୍ବାଚନୀ ଅନିୟମିତତା ଓ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ନେଇ ବିଜେପି ଓ ବିରୋଧୀ ଦଳଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଛି। ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ INDIA ମେଣ୍ଟ ପକ୍ଷରୁ ‘ଭୋଟ ବଚାଓ, ଦେଶ ବଚାଓ’ ରାଲି ଆୟୋଜିତ ହୋଇଥିଲା। ଏହି ରାଲିରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ନିର୍ବାଚନୀ ଅନିୟମିତତାର ଅଭିଯୋଗ ଲଗାଇବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ଏବେ ସଂସଦରେ ଆଲୋଚନା ପାଇଁ ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ ପରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

Leave A Reply

Your email address will not be published.