କନ୍ଧମାଳ: ଦୀର୍ଘ ୪୫ ଦିନ ପରେ ଖୋଲିଛି ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା କଳିଙ୍ଗା ଘାଟି । ଏହି ଘାଟି ରାସ୍ତାରେ ଏବେ ସମସ୍ତ ଗାଡ଼ି ଚଳାଚଳ ପାଇଁ ଅନୁମତି ମିଳିଛି। ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଖୋଲିବା ପରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍କଳନ ଓ ବ୍ରିଜ ଧୋଇଯିବା କାରଣରୁ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡିଥିଲା । ବାତ୍ୟା ସମୟରେ ଉଭୟ ଘାଟିରେ ମାଟି ଅତଡ଼ା ଧସିବାରୁ ଏହାର ମରାମତି କାର୍ଯ୍ୟ ଚାଲିଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଗାଡି ଚଳାଚଳ ବନ୍ଦ କରିଥିଲା ପ୍ରଶାସନ । ଫଳରେ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଯାତାୟାତ ପ୍ରବାବିତ ହୋଇଥିଲା ।
ତେବେ ମରାମତି ଓ ଆବଶ୍ୟକୀୟ ପଦକ୍ଷେପ ପରେ ଏବେ ରାସ୍ତାରେ ଯାତାୟାତକୁ ଅନୁମତି ମିଳିଛି । ବର୍ତ୍ତମାନ ମରାମତି କାର୍ଯ୍ୟ ସରିଥିବା ତଥା ସାଧାରଣ ଲୋକଙ୍କ ସମସ୍ୟାକୁ ନଜରରେ ରଖି ଏହି ପଦକ୍ଷେପ ନିଆ ଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
