Rahul Gandhi 2029 PM: “ଲେଖିକି ରଖନ୍ତୁ…୨୯ରେ ପ୍ରଧାନମନ୍ତ୍ରୀ ହେବେ ରାହୁଲ”, ଅମିତ ଶାହଙ୍କୁ କେ.ସି. ବେଣୁଗୋପାଳଙ୍କ ଖୋଲା ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ୨୦୨୯ରେ ବଦଳିବ ଦିଲ୍ଲୀର ରାଜନୈତିକ ଚିତ୍ର? ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଆସନରେ ବସିବେ ରାହୁଲ ଗାନ୍ଧୀ? ଏକଥା ଆମେ ନୁହେଁ, କିଛି ଏପରି ଦୃଢୋକ୍ତି ବାଢିଛନ୍ତି କଂଗ୍ରେସ ନେତା କେ.ସି. ବେଣୁଗୋପାଳ । କେବଳ ବୟାନ୍ ଦେଇନାହାନ୍ତି ସେ ସିଧାସଳଖ ଗୃହମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ କରିଛନ୍ତି । କହିଛନ୍ତି, “ ଆମଠାରୁ ପ୍ରତିଶ୍ରୁତି ନିଅନ୍ତୁ, ରାହୁଲ ହେବେ ପ୍ରଧାନମନ୍ତ୍ରୀ…”।
ଏକ ସାକ୍ଷାତକାରରେ କଂଗ୍ରେସର ସାଧାରଣ ସମ୍ପାଦକ (ସଂଗଠନ) ବେଣୁଗୋପାଳ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ନିକଟରେ ଅମିତ ଶାହ କଟାକ୍ଷ କରି କହିଥିଲେ, ରାହୁଲ ଗାନ୍ଧୀ କେବଳ ମକ୍ ପାର୍ଲାମେଣ୍ଟରେ ହିଁ ପ୍ରଧାନମନ୍ତ୍ରୀ ହୋଇପାରିବେ। ଏହାର ଜବାବରେ ବେଣୁଗୋପାଳ କହିଛନ୍ତି, “ଅମିତ ଶାହ, ଟିକେ ଅପେକ୍ଷା କରନ୍ତୁ। ଆମଠାରୁ ଏହି କଥା ଲେଖି ରଖନ୍ତୁ, ରାହୁଲ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବେ। ଶାହ ଓ ମୋଦୀଙ୍କର ଆଗକୁ କ’ଣ ହେବ, ସେକଥା ସେମାନେ ନିଜେ ଚିନ୍ତା କରନ୍ତୁ। ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଭାରତର ଲୋକେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। କିନ୍ତୁ ତାଙ୍କର ଲଢ଼େଇ କେବଳ ପ୍ରଧାନମନ୍ତ୍ରୀ ହେବା ପାଇଁ ନୁହେଁ।”
ତେବେ ବେଣୁଗୋପାଳଙ୍କ ମତରେ ,ରାହୁଲଙ୍କ ଲଢ଼େଇ କେବଳ ପ୍ରଧାନମନ୍ତ୍ରୀ ହେବା ପାଇଁ ନୁହେଁ। ଦେଶରେ ଗଣତନ୍ତ୍ରକୁ ପୁଣି ମଜବୁତ କରିବା, ସାଧାରଣ ଲୋକଙ୍କ ଭୋଟ୍ ଅଧିକାରର ସୁରକ୍ଷା ଏବଂ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ହେଉଛି ଇଣ୍ଡିଆ ମେଣ୍ଟର ମୁଖ୍ୟ ଲକ୍ଷ୍ୟ।
ତେବେ ଏହି ବୟାନ ପଛରେ ରହିଛି ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଚାଲିଥିବା ରାଜନୈତିକ ବିବାଦ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍କୁ ନେଇ ବିରୋଧୀ ଦଳଗୁଡ଼ିକ ଅନିୟମିତତାର ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟ ବଡ଼ ଧରଣର ରାଲି କରିଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସ୍ଆଇଆର୍ ପ୍ରକ୍ରିୟା ପ୍ରତ୍ୟାହାର ଦାବି ଉଠାଇଥିଲା ମେଣ୍ଟ। ବିଜେପି ଉପରେ ‘ଭୋଟ୍ ଚୋରି’ର ଅଭିଯୋଗ ମଧ୍ୟ ଲଗାଇଛନ୍ତି ବିରୋଧୀ। ତେବେ ଏହି ଅଭିଯୋଗଗୁଡ଼ିକୁ ବେଣୁଗୋପାଳ ବିରୋଧୀଙ୍କ ଲଢ଼େଇର ମୁଖ୍ୟ ପ୍ରସଙ୍ଗ ଭାବେ ରଖିଛନ୍ତି।
ଆଗକୁ କ’ଣ ହେବ ଇଣ୍ଡିଆ ମେଣ୍ଟର ରଣନୀତି? ଏନେଇ ବେଣୁଗୋପାଳଙ୍କ କହିବା ଅନୁସାରେ, କଂଗ୍ରେସ ନିଜର ସହଯୋଗୀ ଦଳଗୁଡ଼ିକ ସହ ନିୟମିତ ଯୋଗାଯୋଗରେ ରହିଛି। ଜାତୀୟ ସ୍ତରରେ ପ୍ରତିବାଦ ଜାରି ରହିବା ସହ ଏହାକୁ ରାଜ୍ୟସ୍ତରକୁ ନିଆଯିବ। ଆଗାମୀ ସଂସଦ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ଜୋର୍ଦାର ଭାବେ ଉଠାଯିବ। ତେବେ ପୂର୍ବରୁ ଇଣ୍ଡି ମେଣ୍ଟର କିଛି ନେତା ୨୦୨୯ ପାଇଁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗୁଆ ଘୋଷଣା କରିବା ଠିକ୍ ନୁହେଁ ବୋଲି କହିଥିବା ବେଳେ ଏନେଇ କେ.ସି. ବେଣୁଗୋପାଳଙ୍କ ଏହି ବୟାନ ନିଶ୍ଚିତ ଭାବେ ରାଜନୈତିକ ଚର୍ଚ୍ଚାକୁ ଜୋରଦାର କରିଛି।
