ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।
ଏହି ସମୟରେ ସେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟିବା ସହ ‘ଅର୍ଣ୍ଣବ’ ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ।
ସେରଗଡ଼ ଗସ୍ତ ସମୟରେ ସେଠାରେ ଏକ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା। ନିଜ ନେତାଙ୍କୁ ଦେଖିବା ଏବଂ ନିଜର ଦୁଃଖ-କଷ୍ଟ ଜଣାଇବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।
ସେରଗଡ଼ରେ ପହଞ୍ଚିବା ପରେ ନବୀନ ବନ୍ୟା ପ୍ରଭାବିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ନିଜର ଦୁର୍ଦ୍ଦଶା ବିଷୟରେ ଜଣାଇଥିଲେ। ଯେଉଁ ଧାନ ଫସଲରୁ ଭଲ ଅମଳର ଆଶା କରାଯାଉଥିଲା, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ।
ବନ୍ୟାଜଳ କୃଷି କ୍ଷେତ୍ରରେ ପଶିଯିବାରୁ ଶହ ଶହ ଚାଷୀଙ୍କ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି। ଏପଟେ ଚାଷୀ ମାନଙ୍କର ଏଭଳି ଦୁର୍ଦ୍ଦଶା ଦେଖି ଗଭୀର ଭାବେ ବ୍ୟଥିତ ହୋଇଥିଲେ ନବୀନ। ତେବେ ସେ ଚାଷୀଙ୍କ ସମସ୍ୟା ଶୁଣି ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅପରପକ୍ଷରେ ବନ୍ୟା ଦୁର୍ଗତ ଗଞ୍ଜାମ, ଗଜପତି ଓ କନ୍ଧମାଳବାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ସେହିପରି କନ୍ଧମାଳରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସମସ୍ତ ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟରେ ଦୀପାବଳୀ ପାଳନ କରିବେ ନାହିଁ।
