ବାଲେଶ୍ୱର: ଜେଲ୍ ଗଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର୍ ମନୀଷା ମିଶ୍ର । ଜମି ପଞ୍ଜୀକରଣ ପାଇଁ କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ । ଏହି ସମୟରେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ ଜେଲ୍ ପଠାଯାଇଛି ।
ମନୀଷା ମିଶ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ସହ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଏହି ଯାଞ୍ଚ ହୋଇଥିଲା। ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଗିରଫ ପରେ ମନୀଷା ମିଶ୍ରଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
ତେବେ ମନୀଷା ମିଶ୍ର ମାତ୍ର ଦୁଇ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ । ଏବେ ବି ସେ ପ୍ରୋବେସନ୍ରେ ଥିଲେ । ଚାକିରି ଆରମ୍ଭରୁ ଏପରି ଲାଞ୍ଚନେବା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
