ନୂଆଦିଲ୍ଲୀ: ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ପାଇଁ ବରୋଦା ଦଳ ଘୋଷଣା ହୋଇସାରିଛି ଏବଂ ଏଥିରେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ । ହାର୍ଦ୍ଦିକ ବର୍ତ୍ତମାନ ଆଘାତରୁ ମୁକ୍ତ ହେବା ପାଇଁ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିହାବିଲିଟେସନ୍ କରୁଛନ୍ତି । ଏହି କାରଣରୁ ତାଙ୍କର କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବା ଆଶା ପୁଣି ଥରେ ବିଳମ୍ବିତ ହୋଇଛି । ବାରମ୍ବାର ଆଘାତ ସମସ୍ୟା ତାଙ୍କ କ୍ରିକେଟ କ୍ୟାରିୟରକୁ ଶେଷ କରିଦେଇପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି । ଦ୍ରୁତ ବେଗରେ ବୋଲିଂ କରିବା ସହ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ହାର୍ଦ୍ଦିକ ଅନେକ ଥର ଭାରତ ପାଇଁ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି । ସୀମିତ ଓଭର କ୍ରିକେଟ୍ରେ ସେ ଭାରତ ପାଇଁ ଜଣେ ବଡ଼ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଛନ୍ତି ।
ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ହେଲେ ହ୍ୱାଇଟ୍-ବଲ୍ ଦଳକୁ ସିଧାସଳଖ ଫେରିବାର ସମ୍ଭାବନା ଅଧିକ । ଗୋଡ଼ର ଆଘାତ ଏବଂ ପିଠିର ଯନ୍ତ୍ରଣା ତାଙ୍କର ପ୍ରତ୍ୟାବର୍ତ୍ତନକୁ ବାରମ୍ବାର ବାଧାପ୍ରାପ୍ତ କରୁଛି । ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଘରୋଇ କ୍ରିକେଟ୍ ଖେଳି ନିଜ ଫିଟ୍ନେସ୍ ପ୍ରମାଣିତ କରିବା ଜରୁରୀ, ଯାହା ସେ କରିପାରୁନାହାନ୍ତି । ନୀତିଶ କୁମାର ରେଡ୍ଡୀଙ୍କ ଭଳି ଯୁବ ଅଲରାଉଣ୍ଡରମାନେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି । ଯାହାକି ହାର୍ଦ୍ଦିକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଯଦି ସେ ନିଜର ଫିଟ୍ନେସ୍ ଓ ବୋଲିଂ ୱର୍କଲୋଡ୍ ସମ୍ପୂର୍ଣ୍ଣ ହାସଲ କରିପାରିବେ, ତେବେ ଆଗାମୀ ସୀମିତ ଓଭର କ୍ରିକେଟ୍ରେ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭବ । ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ତାଙ୍କ ବଡ଼ ଭାଇ କ୍ରୁଣାଲ ପାଣ୍ଡ୍ୟା ବରୋଦା ଦଳର ନେତୃତ୍ୱ ନେବେ ।
ବରୋଦା ସ୍କ୍ୱାଡ୍: କ୍ରୁଣାଲ ପାଣ୍ଡ୍ୟା (ଅଧିନାୟକ), ଅତୀତ ଶେଠ୍ (ଉପ-ଅଧିନାୟକ), ଦୀପକ ହୁଡ୍ଡା, ଶଶାଙ୍କ ଶର୍ମା, ଶାଶ୍ୱତ ରାୱତ, ଅମିତ ପାସି (ୱିକେଟକିପର), ଜିତେଶ ଶର୍ମା (ୱିକେଟକିପର), ଭାନୁ ପନିଆ, ମହେଶ ପିଥିୟା, ପରୀକ୍ଷିତ ପାଟିଦାର, ହେମନ୍ତ ପୁଣ୍ଡେ, ରାଜ ଲିମ୍ବାନୀ, ରସିଖ ଦାର, ଧ୍ରୁବ ବି ପଟେଲ, ସଫୱାନ ପଟେଲ। ଷ୍ଟାଣ୍ଡବାଏ: ପ୍ରିୟାଂଶୁ ମୋଲିଆ, ଚିନ୍ତଲ ଗାନ୍ଧୀ।
