ନୂର ଖାନ ଏୟାରବେସରୁ ଇରାନ ଉପରେ ଆକ୍ରମଣ କରିବ କି ଆମେରିକା? ପାକିସ୍ତାନରେ ପହଞ୍ଚିଲା ରୁଷ, ଚୀନ ଓ ୟୁଏଇର ସାମରିକ ବିମାନ
ଇସଲାମାବାଦ: ଆମେରିକା କ’ଣ ଖୁବଶୀଘ୍ର ଇରାନ ଉପରେ ଏକ ବଡ଼ ଧରଣର ବିମାନ ଆକ୍ରମଣ କରିବାକୁ ଯାଉଛି? ପାକିସ୍ତାନରେ ବିଦେଶୀ ସାମରିକ ବିମାନର ଅଚାନକ କ୍ରମାଗତ ଯାତାୟାତ ଏହି ସନ୍ଦେହକୁ ଆହୁରି ଅଧିକ ତୀବ୍ର କରିଛି। ମିଳିଥିବା ସୂଚନା ଅନୁଯାୟୀ, ରୁଷ, ଚୀନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅନେକଗୁଡ଼ିଏ ସାମରିକ ବିମାନ ପାକିସ୍ତାନର ବିଭିନ୍ନ ଏୟାରବେସରେ ଆସି ପହଞ୍ଚିଛି । ୱାଶିଂଟନ ଏବଂ ତେହରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ, ଏଭଳି ସ୍ଥିତିରେ ପାକିସ୍ତାନର ରଣନୈତିକ ଭୂମିକା ଏବଂ ଏହାର ଅଭିପ୍ରାୟକୁ ନେଇ ଆନ୍ତର୍ଜାତିକ ମହଲରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଘଟଣାରେ ସବୁଠାରୁ ସମ୍ବେଦନଶୀଳ ଦାବି ଚୀନର ଗୁଇନ୍ଦା ସତର୍କତାକୁ ନେଇ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକା ରାୱଲପିଣ୍ଡିର ସମ୍ବେଦନଶୀଳ ନୂର ଖାନ ଏୟାରବେସକୁ ବ୍ୟବହାର କରି ଇରାନ ଉପରେ ହଠାତ୍ ଆକ୍ରମଣ କରିପାରେ ବୋଲି ବେଜିଂ ପକ୍ଷରୁ ମସ୍କୋକୁ ଗୁପ୍ତ ସତର୍କ କରାଯାଇଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ପାକିସ୍ତାନର ସାମରିକ ଘାଟି ଏବଂ ସେଠାକାର ଆକାଶପଥ ଉପରେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକର ଗୁଇନ୍ଦା ନଜର ବହୁମାତ୍ରାରେ ବଢ଼ିଯାଇଛି।
ରୁଷର IL-76MD, AN-124 କାର୍ଗୋ ବିମାନ ଏବଂ ୟୁଏଇର IL-76 ସମେତ ଏହି ସାମରିକ ବିମାନଗୁଡ଼ିକ କରାଚୀ ସମେତ ବିଭିନ୍ନ ସ୍ଥାନରେ ଅବତରଣ କରି ଗୁରୁତ୍ୱପୂର୍ଣ୍ଣ ସାମରିକ ସରଞ୍ଜାମ ଓ ସାମଗ୍ରୀ ପହଞ୍ଚାଉଛନ୍ତି। କିର୍ଗିଜସ୍ତାନର ବିଶକେକ ଏବଂ ବାଂଲାଦେଶର ଚଟ୍ଟଗ୍ରାମରୁ ଏହି ବିମାନଗୁଡ଼ିକ ପାକିସ୍ତାନରେ ପହଞ୍ଚିବା ପରେ ଏହାର ପ୍ରକୃତ ଉଦ୍ଦେଶ୍ୟକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଯଦିଓ ଏହି ସମ୍ଭାବ୍ୟ ଆକ୍ରମଣ କିମ୍ବା ଚୀନର ସତର୍କତା ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ, ତଥାପି ଏହି ସମଗ୍ର ଘଟଣାକ୍ରମ ଆଞ୍ଚଳିକ ସୁରକ୍ଷା ଓ ଶାନ୍ତି ଉପରେ କି ପ୍ରକାର ଗୁରୁତର ପ୍ରଭାବ ପକାଇବ, ସେନେଇ ଭାରତ ଏବଂ ଇସ୍ରାଏଲ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ମଧ୍ୟ ଅତ୍ୟନ୍ତ କଡ଼ା ନଜର ରଖିଛନ୍ତି।
