ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି ଏବଂ ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା କମିବାରେ ଲାଗିଛି । ଟ୍ୱିନ୍ ସିଟିରେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଥିବା ବେଳେ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ରାତି ଓ ସକାଳେ ହାଲୁକା ଶୀତ ଅନୁଭୂତ ହେଉଛି। ସକାଳ ଓ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ସହିତ ଠାଏ ଠାଏ ଶୀତୁଆ ପାଗ ଅନୁଭୂତ ହେଉଛି।
ବର୍ଷା ପରେ କୋରାପୁଟ ଅଞ୍ଚଳରେ ଶୀତର ପ୍ରଭାବ ବୃଦ୍ଧି ପାଇଛି ଏବଂ ଲମତାପୁଟରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି। ଏବେ ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।
ଗତ ୨-୩ ଦିନ ଭିତରେ ରାତି ତାପମାତ୍ରା ସାମାନ୍ୟ କମିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସୟସ୍ ଥିବାବେଳେ ଦାରିଙ୍ଗିବାଡ଼ି ୧୫, ଭବାନୀପାଟଣା ୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁର ୧୬, କେନ୍ଦୁଝର ୧୬.୬, ରାୟଗଡ଼ା ୧୭ ଡିଗ୍ରୀ ସେଲସିୟସ୍ ଥିଲା ରବିବାର ରାତିରେ । ସୋମବାର ସନ୍ଧ୍ୟାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ହାଲୁକା ଶୀତୁଆ ପବନ ବହୁଥିଲା । ରାତିରେ ପାରଦ ଆହୁରି କମିପାରେ । ଉପକୂଳରେ ବି ପାରଦ ୨୦ ଡିଗ୍ରୀ ତଳକୁ ଆସିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଅନ୍ୟପଟେ ପୂର୍ବ ଉତ୍ତରପ୍ରଦେଶରୁ କେନ୍ଦ୍ରୀୟ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ହାଲୁକା ବର୍ଷା ରହିପାରେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝରରେ ଗୋଟିଏ ଦୁଇଟି ଜାଗାରେ ଏ ବର୍ଷା ରହିପାରେ। ୧୩ରୁ ପାଗ ଶୁଖିଲା ରହିପାରେ।
