ନୂଆଦିଲ୍ଲୀ: ମହାକାଶରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହର ରହସ୍ୟ ଖୋଜିବା ପରେ ଏବେ ଭାରତର ନଜର ପୃଥିବୀର ଆଉ ଏକ ରହସ୍ୟମୟ ଦୁନିଆ ଉପରେ। ତାହା ହେଉଛି ସମୁଦ୍ରର ଗଭୀର ଅନ୍ଧକାର ଅଞ୍ଚଳ। ସମୁଦ୍ର ପୃଷ୍ଠରୁ ୬ ହଜାର ମିଟର ତଳେ କ’ଣ ରହିଛି? ସେଠାରେ କିପରି ଜୀବଜନ୍ତୁ ବଞ୍ଚୁଛନ୍ତି? ଏହି ସବୁ ରହସ୍ୟ ଖୋଜିବାକୁ ଭାରତ ଆରମ୍ଭ କରିଛି ‘ସମୁଦ୍ରଯାନ’ ପ୍ରକଳ୍ପ।
ଏହି ମିଶନର ମୁଖ୍ୟ ଆକର୍ଷଣ ହେଉଛି ‘ମତ୍ସ୍ୟ-୬୦୦୦’। ଏହା ଏକ ବିଶେଷ ମାନବଚାଳିତ ଅଣ୍ଡରୱାଟର ଯାନ, ଯାହା ତିନି ଜଣ ଲୋକଙ୍କୁ ସମୁଦ୍ରର ୬ ହଜାର ମିଟର ଗଭୀରତାକୁ ନେଇପାରିବ। ଏହାକୁ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି (NIOT) ବିକଶିତ କରୁଛି। ୨୦୨୮ରେ ଭାରତର ପ୍ରଥମ ମାନବଚାଳିତ ଗଭୀର ସମୁଦ୍ର ମିଶନ ଆରମ୍ଭ କରିବା ଲକ୍ଷ୍ୟ ରହିଛି। ନିକଟରେ ତାମିଲନାଡୁର କାଟ୍ଟୁପଲ୍ଲୀରେ ଏହାର ମାନବବିହୀନ ପରୀକ୍ଷଣ ଶେଷ ହୋଇଛି।
ସମୁଦ୍ରର ଏହି ଗଭୀରତାରେ ସୂର୍ଯ୍ୟକିରଣ ପହଞ୍ଚେ ନାହିଁ। ତାପମାତ୍ରା ପ୍ରାୟ ଶୂନ୍ୟ ଡିଗ୍ରୀ ପାଖାପାଖି ରହିଥାଏ। ସବୁଠାରୁ ଭୟଙ୍କର କଥା ହେଉଛି, ଏଠାରେ ଚାପ ସମୁଦ୍ର ପୃଷ୍ଠର ଚାପଠାରୁ ପ୍ରାୟ ୬୦୦ ଗୁଣ ଅଧିକ। ଏତେ ଭୟଙ୍କର ଚାପ ମଧ୍ୟରେ ମଧ୍ୟ ଅନେକ ଜୀବ ବଞ୍ଚି ରହୁଛନ୍ତି। କିଛି ଜୀବ ନିଜ ଶରୀରରୁ ଆଲୋକ ସୃଷ୍ଟି କରନ୍ତି। ଆଉ କିଛି ଜୀବ ସୂର୍ଯ୍ୟକିରଣ ବଦଳରେ ରାସାୟନିକ ଶକ୍ତି ଉପରେ ନିର୍ଭର କରି ବଞ୍ଚନ୍ତି। ଏହି ଜୀବମାନଙ୍କ ଅଧ୍ୟୟନ ଦ୍ୱାରା ଅନ୍ୟ ଗ୍ରହରେ ଜୀବନ ଥିବା ସମ୍ଭାବନା ବିଷୟରେ ମଧ୍ୟ ବୈଜ୍ଞାନିକମାନେ ଜାଣିପାରିବେ।
ମତ୍ସ୍ୟ-୬୦୦୦ର ଲକ୍ଷ୍ୟ କେବଳ ଗଭୀରତା ମାପିବା ନୁହେଁ। ସମୁଦ୍ର ତଳେ ଥିବା ପଲିମେଟାଲିକ୍ ନୋଡ୍ୟୁଲ୍ସ ନାମକ ଖଣିଜ ପିଣ୍ଡରେ ମାଙ୍ଗାନିଜ୍, ନିକେଲ୍, କୋବାଲ୍ଟ ଓ ତମ୍ବା ଭଳି ଧାତୁ ରହିଛି। ଏଗୁଡ଼ିକ ବ୍ୟାଟେରୀ, ଇଲେକ୍ଟ୍ରୋନିକ୍ସ ଓ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିରେ ଉପଯୋଗୀ। ଭାରତ ମଧ୍ୟ ମଧ୍ୟ ଭାରତୀୟ ମହାସାଗରରେ ଏହି ଖଣିଜ ସମ୍ପଦ ଖୋଜୁଛି। ୨୦୨୧ରେ ୫,୨୭୦ ମିଟର ଗଭୀରତାରେ ଖଣିଜ ସଂଗ୍ରହ ପ୍ରଣାଳୀର ପରୀକ୍ଷା ହୋଇଥିଲା।
ଆମେରିକା, ଚୀନ୍, ରୁଷିଆ, ଫ୍ରାନ୍ସ ଓ ଜାପାନ ଗଭୀର ସମୁଦ୍ର ଅନୁସନ୍ଧାନରେ ଆଗରୁ ରେସରେ ରହିଛନ୍ତି। ଚୀନ୍ର ‘ଫେନ୍ଦୋଉଝେ’ ୧୦ ହଜାର ମିଟରରୁ ଅଧିକ ଗଭୀରତାରେ ପହଞ୍ଚିଛି। ୨୦୨୫ ଅଗଷ୍ଟରେ ଭାରତୀୟ ବୈଜ୍ଞାନିକମାନେ ଫ୍ରାନ୍ସର ‘ନଟିଲ୍’ ଯାନରେ ଆଟଲାଣ୍ଟିକ୍ ମହାସାଗରରେ ୫ ହଜାର ମିଟର ଗଭୀରତା ପର୍ଯ୍ୟନ୍ତ ଅନୁସନ୍ଧାନ କରିଥିଲେ।
