ହ୍ୟାମିଲଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହ୍ୟାମିଲଟନର ସେଡନ୍ ପାର୍କରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇଯାଇଛି । ଗୋଟିଏ ହେଲେ ବଲ୍ ଫିଙ୍ଗାଯାଇ ନପାରି ମ୍ୟାଚକୁ ବାତିଲ ଘୋଷଣା କରାଯିବା ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ନିଜର ଅଗ୍ରଣୀ ବଜାୟ ରଖିଛି । ଏହା ସହିତ ନିଜ ମାଟିରେ ନ୍ୟୁଜିଲାଣ୍ଡ କ୍ରମାଗତ ୧୧ଟି ଦିନିକିଆ ସିରିଜ୍ ଜିତିବାର ରେକର୍ଡ ମଧ୍ୟ ଭଙ୍ଗ ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍ ବାତିଲ ହେବା ଫଳରେ ନ୍ୟୁଜିଲାଣ୍ଡ ଆଉ ସିରିଜ ଜିତିପାରିବ ନାହିଁ, କେବଳ ମାଉଣ୍ଟ ମାଉଙ୍ଗାନୁଇରେ ହେବାକୁ ଥିବା ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ ବରାବର (୨-୨) କରିବାକୁ ଚେଷ୍ଟା କରିବ ।
ବର୍ଷାର ସାମାନ୍ୟ ବିରତି ମଧ୍ୟରେ ମ୍ୟାଚକୁ ୪୦ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇ ଟସ୍ କରାଯାଇଥିଲା । ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଟସ୍ ଶେଷ ହେବା କ୍ଷଣି ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ଶୁଭମନ ଗିଲ୍ ଏହି ସିରିଜରୁ ବିଦାୟ ନେଉଛନ୍ତି । ଆଗାମୀ ଦୁଇଟି ଦିନିକିଆ ମ୍ୟାଚରେ ଶ୍ରେୟାଶ ଆୟାର ଭାରତୀୟ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ସିରିଜର ଚତୁର୍ଥ ଓ ପଞ୍ଚମ ଦିନିକିଆ ଆସନ୍ତା ଶୁକ୍ରବାର ଓ ରବିବାର ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ ।
