ମୁମ୍ବାଇ: ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ ଟେଲିଭିଜନ ଅଭିନେତା ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦାହିଆ । ଦୁହେଁ ଯାଆଁଳା ପିଲାଙ୍କ ସହ ମୁମ୍ବାଇ ଆପାର୍ଟମେଣ୍ଟ ବିଲ୍ଡିଂରେ ହୋଇଥିବା ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛନ୍ତି । ହେଲେ ଘଟଣାରେ ବିଲ୍ଡିଂର ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ।ସୁରକ୍ଷା କର୍ମୀଙ୍କ ମୃତ୍ୟୁରେ ଦୁହେଁ ଶୋକ ପ୍ରକାଶ କରିଛନ୍ତି।ମଙ୍ଗଳବାର ଦିନ ଏକ ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟରେ ଦିବ୍ୟଙ୍କା ଏବଂ ବିବେକ ସୁରକ୍ଷାକର୍ମୀଙ୍କୁ ମନେ ପକାଇଛନ୍ତି।
ଅଭିନେତା ସେମାନଙ୍କ ଆପାର୍ଟମେଣ୍ଟ ୱିଣ୍ଡୋରୁ କଏଦ ହୋଇଥିବା ଫୁଟେଜକୁ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଅନ୍ୟ ଫ୍ଲାଟରୁ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, “କିଛି ସମୟ ପାଇଁ, ଆମେ ଭାବିଥିଲୁ, ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ। କିନ୍ତୁ ଯେତେବେଳ ଆମେ ସୁରକ୍ଷା କର୍ମୀଙ୍କ ବିଷୟରେ ଶୁଣିଲୁ ଆମେ ଏହାକୁ ଗ୍ରହଣ କରିପାରିଲୁ ନାହିଁ ।
ମୁମ୍ବାଇ ଫାୟାର ବ୍ରିଗେଡ ଅନୁଯାୟୀ ଶନିବାର ରାତି ପ୍ରାୟ ୯.୫୦ ସମୟରେ ରନୱାଲ ଟାୱାରର ଫ୍ଲାଟ ନମ୍ବର ୧୭୦୨ ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଜଣେ ସହକାରୀ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଏହି ଫ୍ଲାଟଟି ଶରଦ ଅଗ୍ରୱାଲଙ୍କର ଥିଲା, ଯିଏ ପୂଜା କରିବା ପରେ ତାଙ୍କ ପତ୍ନୀଙ୍କ ସହ ରାତ୍ରୀ ଭୋଜନ କରିବାକୁ ବାହାରିଥିଲେ। ନିଆଁ ଲାଗିବା ପରେ ତାଙ୍କ ବୃଦ୍ଧ ପିତାମାତା ଘରେ ଥିଲା ବେଳେ ଲିଭିଙ୍ଗ ରୁମରୁ ନିଆଁ ବାହାରିଥିଲା।
ଯେତେବେଳେ ଅଗ୍ନିକାଣ୍ଡର ତୀବ୍ରତା କମ୍ ଥିଲା, ଘରୋଇ କର୍ମଚାରୀ ଲିଫ୍ଟ ବ୍ୟବହାର କରି ପିତାମାତାଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ବିଲଡିଂରେ ଧୂଆଁ ବ୍ୟାପିବା ଆରମ୍ଭ କରିଥିଲା। ଏପଟେ ଅଗ୍ନିଶମ କର୍ମଚାରୀ ସୁରକ୍ଷା କର୍ମୀଙ୍କୁ ଉଦ୍ଧାର କରି କୋକିଲାବେନ ଡାକ୍ତରଖାନାକୁ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କପୁର୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
