ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସନ୍ନ୍ୟାସକୁ ନେଇ ଚାଲିଥିବା ସସ୍ପେନ୍ସ ଉପରୁ ତାଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା ପରଦା ହଟାଇଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ୍ ପରେ ବିରାଟ କୋହଲି କ୍ରିକେଟକୁ ଅଲବିଦା କହିବେ କି ନାହିଁ, ସେ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ରାଜକୁମାର ଶର୍ମା କହିଛନ୍ତି ଯେ, ୨୦୨୭ ଦିନିକିଆ ୱାର୍ଲ୍ଡ କପ୍ ବିରାଟଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ ହୋଇପାରେ । ତେବେ ଏହାର ଅର୍ଥ ନୁହେଁ ଯେ ସେ ୱାର୍ଲ୍ଡ କପ୍ ସରିବା ମାତ୍ରେ ସନ୍ନ୍ୟାସ ନେଇଯିବେ । ବିଶ୍ୱକପ୍ ୪ ବର୍ଷରେ ଥରେ ଆସୁଥିବାରୁ ୨୦୨୭ ୱାର୍ଲ୍ଡ କପ୍ ତାଙ୍କର ଶେଷ ହେବ, କିନ୍ତୁ ସେ ତାପରେ ମଧ୍ୟ ଭାରତ ପାଇଁ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିପାରନ୍ତି । ବିରାଟ କୋହଲି ପୂର୍ବରୁ ହିଁ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି । ବର୍ତ୍ତମାନ ସେ କେବଳ ଦିନିକିଆ ଫର୍ମାଟରେ ହିଁ ସକ୍ରିୟ ଅଛନ୍ତି । ବିରାଟ କୋହଲି ଏପର୍ୟ୍ୟନ୍ତ ମୋଟ ୩୨୦ଟି ମ୍ୟାଚ୍ ଖେଳି ୫୮.୬୪ ହାରରେ ୧୫,୧୯୦ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ତାଙ୍କର ୫୫ଟି ଶତକ ଏବଂ ୮୦ଟି ଅର୍ଦ୍ଧଶତକ ସାମିଲ ରହିଛି ।
ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ହାସଲ କରିବାର ବିଶ୍ୱ ରେକର୍ଡ ବିରାଟଙ୍କ ନାମରେ ରହିଛି । ସେ ସଚିନ ତେନ୍ଦୁଲକରଙ୍କ (୪୯ ଶତକ) ରେକର୍ଡ ଭାଙ୍ଗି ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ । ୨୦୨୩ ୱାର୍ଲ୍ଡ କପ୍ରେ ବିରାଟ ୭୬୫ ରନ୍ ସଂଗ୍ରହ କରି ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ ରନ୍ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ ।ମାତ୍ର ୨୦୫ଟି ଇନିଂସରେ ୧୦,୦୦୦ ରନ୍ ପୂରଣ କରିବାର ରେକର୍ଡ ବିରାଟଙ୍କ ନାମରେ ରହିଛି । ଜଣେ ଭାରତୀୟ ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୭ଟି ଦ୍ୱିଶତକ ହାସଲ କରିବାର ରେକର୍ଡ ତାଙ୍କ ନାମରେ ଅଛି । ତିନୋଟିଯାକ ଫର୍ମାଟ ମିଶାଇ ମୋଟ ୮୬ଟି ଆନ୍ତର୍ଜାତୀୟ ଶତକ ସହ ସେ ସର୍ବକାଳୀନ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
