କିସ୍ତୱାର: ପୁଣି ଜମ୍ମୁରେ ଆତଙ୍କୀଙ୍କ ଦବଦବା । ବୁଧବାର କୁଲଗାମରେ ସିଆରପିଏଫ୍ ଚେକପୋଷ୍ଟରେ ହମଲା, ପୁଣି ସନ୍ଧ୍ୟାରେ ୨ ଏସପିଓ ନିଖୋଜ ଏବଆଜି ସକାଳୁ ଗୁଳିବିଦ୍ଧ ମୃତଦେହ ଉଦ୍ଧାର । ଏଥିରୁ ସ୍ପଷ୍ଟ ଯେ, ଜମ୍ମୁରେ ପୁଣି ଆତଙ୍କୀ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ବଡ ପ୍ରୟାସ କରୁଛନ୍ତି । ଏବଂ ସେନା ଓ ପୋଲିସର ମିଳିତ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମ୍ମୁ ଓ କଶ୍ମୀରର କିସ୍ତୱାର ଜିଲ୍ଲା ଅନ୍ତର୍ଗତ ଦୂରବର୍ତ୍ତୀ ଦଚ୍ଛନ-ମରୱାହ ଅଂଚଳରେ ପାଟ୍ରୋଲିଂ ବେଳେ ନିଖୋଜ ହୋଇଯାଇଥିଲେ ୨ଜଣ ସ୍ପେଶାଲ ପୋଲିସ ଅଫିସର । ପରେ ଉଭୟଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଧେର୍ନା ପୋଷ୍ଟ ନିକଟରୁ ଉଦ୍ଧାରକାରୀ ଦଳ ମୃତଦେହ ଉଦ୍ଧାର କରିଛନ୍ତି । ନିହତ ୨ ଏସଓପି ହେଲେ ୪୦ ବର୍ଷୀୟ ରଶପାଲ୍ କୁମାର ଓ ୫୪ ବର୍ଷୀୟ ବାବି ଚାନ୍ଦ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଏବଂ ଅନ୍ୟ ଜଣଙ୍କର ପିଠିରେ ଗୁଳି ବାଜିଛି । ଦେହର ଅନ୍ୟ ସ୍ଥାନରେ ଏକାଧିକ ଗୁଳିମାଡର ଚିହ୍ନ ଦେଖିବାକୁ ମିଲିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଛି ଯେ, ସେହି ଅଂଚଳରେ ପୂର୍ବରୁ ଲୁଚି ରହିଥିବା ଆତଙ୍କୀ ଉଭୟଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ସେତେବେଳେ ୨ ଏସଓପି ଯବାନ ଡ୍ୟୁଟିରେ ଥିଲେ, ଧେର୍ନା ପୋଷ୍ଟ ଆଡକୁ ଯାଉଥିଲେ । ସେମାନଙ୍କ ପାଖରେ ଥିବା ୨ଟି ରାଇଫଲ (ଇନସାସ୍ ଓ ଥ୍ରୀ ନଟ୍ ଥ୍ରୀ) ଥିଲା । ହେଲେ ଘଟଣାସ୍ଥଳରେ କେଉଁଠି ବି ମିଳୁନଥିବା ସୂଚନା ମିଳିଛି । ହତ୍ୟାକାରୀ ବା ଆତଙ୍କୀ ଉଭୟଙ୍କୁ ମାରିବା ପରେ ବନ୍ଧୁକ ନେଇଯାଇଥିବା ସନ୍ଦେହ କରାଯାଉଛି ।
ପ୍ରାଥମିକ ସୂଚନା ଅନୁସାରେ ଉଭୟ ଯବାନ ସେନା ସହ ପାଟ୍ରୋଲିଂରେ ଥିଲେ । ଧେର୍ନା ପୋଷ୍ଟକୁ ଯିବା ବାଟରେ ନିଖୋଜ୍ ହୋଇ ଯାଇଥିଲେ । ସମୟରେ ଗନ୍ତବ୍ୟସ୍ଥଳରେ ନପହଂଚିବାରୁ ବାକି ଯବାନଙ୍କର ସନ୍ଦେହ ଉପୁଜିଥିଲା । ନିଖୋଜର କିଛି ଦୂର ଘଂଚ ଜଙ୍ଗଲ ପାହାଡ ଅଂଚଳରେ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଭିଥିଲା । ୨ ଯବାନଙ୍କ ପାଖରେ ଥିବା ମୋବାଇଲ ଲାଗିନଥିଲା ପରେ ଫୋନ୍ ସୁଇଚ ଅଫ୍ ହୋଇ ଯାଇଥିଲା । ଯାହା ଗୁରୁତର ଚିନ୍ତା ସୃଷ୍ଟି କରିଥିଲା । ଏସପିଓ ବହୁ ସମୟ ଧରି ନଫେରିବାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଯବାନ । ଆଜି ସକାଳୁ ଧେର୍ନା ଟପ୍୍ ଅଂଚଳରୁ ସେମାନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ଉଦ୍ୟମ ଜାରି ରଖିଛନ୍ତି । କିସ୍ତୱାରର ଆଖପାଖ ଜଙ୍ଗଲ ପାହାଡରେ ଆତଙ୍କୀଙ୍କ ଲୁଚିଥିବା କିମ୍ବା ଆଡ୍ଡା ଥିବା ସନ୍ଦେହରେ କୁମ୍ବିଂ ଜୋରଦାର କରାଯାଇଛି ।
ଗତ ଅକ୍ଟୋବର ୧୬ରେ ୫୫ ବର୍ଷୀୟ ଏସପିଓ ବଶିର ଅହମ୍ମଦଙ୍କ ମୃତଦେହ ତାଙ୍କ ଘର ନିକଟରୁ ଉଦ୍ଧାର ହୋଇଥିଲା । ପେଡିଲ ପୋଲିସ ପୋଷ୍ଟରେ ନିଯୁକ୍ତ ଥିବା ବଶିର ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କ ସର୍ଭିସ ବନ୍ଧୁକ ଓ ମାଗାଜିନ ସହ ନିଖୋଜ ହୋଇଯାଇଥିଲେ । ପରେ ପୋଲିସ ତଦନ୍ତରୁ ଜଣାପଡିଲା ଜମିଜମା ସମ୍ବନ୍ଧୀୟ ଏକ ପୁରୁଣା ବିବାଦକୁ କେନ୍ଦ୍ର କରି ତାଙ୍କ ସମ୍ପର୍କୀୟ ତାଙ୍କୁ ହତ୍ୟା କରିଥିଲେ ।
