ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଜଣେ ୧୭ ବର୍ଷ ବୟସ୍କା ପ୍ରତିଭାବାନ ବିସିସିଆଇ ଅଣ୍ଡର-୧୯ ମହିଳା କ୍ରିକେଟର ନନ୍ଦିନୀ ଆତ୍ମହତ୍ୟା କରିଛନ୍ତି। ଏହି ଦୁଃଖଦ ଅଘଟଣ ସ୍ଥାନୀୟ ଅଞ୍ଚଳ ଓ କ୍ରିକେଟ୍ ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ମୃତ ନନ୍ଦିନୀ ନିକଟରେ ବିସିସିଆଇ ଅଣ୍ଡର-୧୯ ଦଳ ପାଇଁ ମନୋନୀତ ହୋଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଦିଗରେ ଆଗେଇ ଚାଲିଥିଲେ। ପରିବାର ଏବଂ ସମ୍ପର୍କୀୟମାନଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ଯୁବକଙ୍କ କ୍ରମାଗତ ମାନସିକ ହଇରାଣ ଓ ନିର୍ଯାତନା ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ।
ପରିବାର ପକ୍ଷରୁ ଅନୀଲ ଏବଂ କୃଷ୍ଣା ନାମକ ଦୁଇ ଯୁବକଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରାଯାଇଛି। ଅନୀଲ ପ୍ରେମ ନାଁରେ ତାଙ୍କୁ କ୍ରମାଗତ ଭାବେ ଅତିଷ୍ଠ ସହ ନନ୍ଦିନୀଙ୍କ ପଛରେ ପଡ଼ିଥିବା ବେଳେ କୃଷ୍ଣା ତାଙ୍କୁ ଏଥିରେ ସହଯୋଗ କରୁଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ତାଗିଦ କରାଯାଇଥିଲେ ମଧ୍ୟ ସେମାନେ ସୁଧୁରି ନଥିଲେ।
ବିକାରାବାଦ ସହରର ମଧୁ କଲୋନୀସ୍ଥିତ ତାଙ୍କ ଜେଜେମାଙ୍କ ଘରେ ରହି ସେ ପାଠପଢ଼ା ସାଙ୍ଗକୁ ନିୟମିତ କ୍ରିକେଟ୍ ପ୍ରଶିକ୍ଷଣ ନେଉଥିଲେ। ଘଟଣାସ୍ଥଳରେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ଅନ୍ୟପଟେ କ୍ରିକେଟ୍ ଆସୋସିଏସନ୍ ଏବଂ ସ୍ଥାନୀୟ କ୍ରୀଡ଼ାବିତ୍ତ ମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଜଣେ ଉଦୀୟମାନ ଖେଳାଳିଙ୍କ ଏଭଳି ଅକାଳ ବିୟୋଗ ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ କହିଛନ୍ତି।
