ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନଭେମ୍ବର ୧୬ ଓ ୧୭ ତାରିଖରେ ଫିଲିପାଇନ୍ସର ରାଜଧାନୀ ମନିଲା ଗସ୍ତ କରିବେ। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିୟରଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ନଭେମ୍ବର ୧୭ରେ ଫିଲିପାଇନ୍ସ ଆୟୋଜିତ ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍)ରେ ଯୋଗଦେବେ ପ୍ରଧାନମନ୍ତ୍ରୀ।
ଭାରତ ଓ ଆସିଆନ୍ ଦେଶ ୨୦୨୬କୁ ‘ଆସିଆନ୍-ଭାରତ ସାମୁଦ୍ରିକ ସହଯୋଗ ବର୍ଷ’ ଭାବେ ପାଳନ କରୁଥିବା ସମୟରେ ମୋଦୀଙ୍କ ଏହି ଗସ୍ତ ହେବାକୁ ଯାଉଛି। ଉଭୟ ପକ୍ଷର ସମ୍ପର୍କ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏଥିରୁ ସ୍ପଷ୍ଟ ହେଉଛି ଯେ, ୨୦୨୭ରେ ଭାରତ ଓ ଆସିଆନ୍ ମଧ୍ୟରେ ସଂଳାପ ସମ୍ପର୍କକୁ ୩୫ ବର୍ଷ ଏବଂ ବ୍ୟାପକ ରଣନୈତିକ ଭାଗିଦାରିତାକୁ ୫ ବର୍ଷ ପୂରଣ ହେବ।
ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ଉଭୟ ପକ୍ଷ ମଧ୍ୟରେ ରହିଥିବା ବ୍ୟାପକ ରଣନୈତିକ ଭାଗିଦାରିତାର ଅଗ୍ରଗତି ସମୀକ୍ଷା କରାଯିବ। ଏଥିସହ ୨୦୨୬-୨୦୩୦ ଆସିଆନ୍-ଭାରତ କାର୍ଯ୍ୟଯୋଜନାର କାର୍ଯ୍ୟକାରିତା ସମେତ ଭବିଷ୍ୟତରେ ସହଯୋଗକୁ କିପରି ଆଗକୁ ବଢ଼ାଯିବ, ସେ ନେଇ ଆଲୋଚନା ହେବ।
ସେହିପରି ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଆସିଆନ୍ ଏବଂ ଅନ୍ୟ ସଦସ୍ୟ ଦେଶର ନେତାମାନଙ୍କ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିବେ ମୋଦୀ। ଭାରତର ‘ଆକ୍ଟ ଇଷ୍ଟ’ ନୀତି, ଆସିଆନ୍ ସହ ସାମୁଦ୍ରିକ ସହଯୋଗ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାଗିଦାରିତାକୁ ଆଗକୁ ବଢ଼ାଇବା ଦୃଷ୍ଟିରୁ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି।
ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ମଧ୍ୟ ଉଦ୍ୟମ ଜାରି ରହିଛି। ଶୁକ୍ରବାର ମନିଲାରେ ଅନୁଷ୍ଠିତ ଭାରତ-ଫିଲିପାଇନ୍ସ ବାଣିଜ୍ୟ ଓ ନିବେଶ ମିଳିତ କାର୍ଯ୍ୟଗୋଷ୍ଠୀର ୧୪ତମ ବୈଠକରେ ଆସିଆନ୍-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିର ସମୀକ୍ଷା ପ୍ରକ୍ରିୟା ଶୀଘ୍ର ଶେଷ କରିବା ନେଇ ଆଲୋଚନା ହୋଇଛି।
ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଆସିଆନ୍-ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତି (ଏଆଇଟିଆଇଜିଏ)ର ସମୀକ୍ଷାକୁ ଶୀଘ୍ର ଶେଷ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରାଥମିକତା ଭିତ୍ତିକ ବାଣିଜ୍ୟ ଚୁକ୍ତି (ପିଟିଏ) ଆଲୋଚନା ଆରମ୍ଭ କରିବାର ସମ୍ଭାବନା ଉପରେ ମଧ୍ୟ ବିଚାରବିମର୍ଶ ହୋଇଛି।
ସୂଚନାଯୋଗ୍ୟ, ଦକ୍ଷିଣ-ପୂର୍ବ ଏସିଆର ୧୦ଟି ଦେଶକୁ ନେଇ ଗଠିତ ହୋଇଛି ଆସିଆନ୍ ସଂଗଠନ। ଏଥିରେ ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ସଦସ୍ୟ ରହିଛନ୍ତି।
