‘13-Year-Old Girl MASTERMIND’ ଇନଷ୍ଟାରେ ୨ମାସର ମର୍ଡର ପ୍ଲାନ୍, ଆଇଫୋନ୍ ଓ ବାଇକ୍ ପାଇଁ ୩ସାଙ୍ଗଙ୍କ ସହ ମିଶି ଜେଜେବାପାକୁ ହତ୍ୟା…
କୋଟ୍ଟାୟମ୍: କେରଳମ୍ କରୁଭାଟ୍ଟା ମର୍ଡର ମଷ୍ଟ୍ରିରୁ ହଟିଲା ପର୍ଦ୍ଦା । ମାଷ୍ଟରମାଇଣ୍ଡ ହେଉଛି ୧୩ ବର୍ଷୀୟ ନାବାଳିକା ନାତୁଣୀ । ନିଜ ପାଇଁ ଆଇଫୋନ୍ ଓ ବୟଫ୍ରେଣ୍ଡକୁ ବାଇକ୍ ଗିଫ୍ଟଦେବାକୁ ଜେଜେବାପାକୁ ମାରି ଘରୁ ସୁନା ଓ ଟଙ୍କା ନେବାକୁ କରିଥିଲା ପ୍ରି-ପ୍ଲାନ୍ ମର୍ଡର । ଘଟଣାର ୮୯ ଦିନ ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ୭୪୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ୧୯ ବର୍ଷରୁ କମ୍ ବୟସର ହୋଇଥିବା ପୋଲିସ ସୂଚନା ଦେଇଛି । ୨ଜଣଙ୍କ ବୟସ ୧୭, ଜଣେ ୧୬ ବର୍ଷର ଏବଂ ପ୍ରକୃତ ମାଷ୍ଟରମାଇଣ୍ଡ ମୃତକଙ୍କ ନାତୁଣୀର ବୟସ ୧୩ ବର୍ଷ ।
ସୂଚନା ଅନୁସାରେ କରୁଭାଟ୍ଟାରେ ଏକ ଭଡା ଘରେ ରହୁଥିଲେ ମୃତ ୬୭ ବର୍ଷୀୟ ଶିବନକୁଟ୍ଟି ଚେଟ୍ଟିୟାର । ୧୫ ଅଗଷ୍ଟ ରାତିରେ ୩ ନାବାଳକ ବାଥରୁମ୍ ଭେଂଟିଲେସନ ପାଥ୍ ଦେଇ ଘରେ ପଶିଥିଲେ । ଶିବନକୁଟ୍ଟି ଶୋଇଥିବା ସମୟରେ ତାଙ୍କ ପାଟିରେ କପଡା ପଶେଇ ମୁହଁରେ ଏକ ବେଡସିଟ୍ ଜୋରରେ ଦାବି ଧରି ଶ୍ୱାସରୁଦ୍ଧ କରି ଅଚେତ କରିଦେଇଥିଲେ । ତାପରେ ହାତକୁ ଧୋତିରେ ଏବଂ ଗୋଡକୁ ଗାମୁଛାରେ ବାନ୍ଧି ପକାଇଥିଲେ । ଗୋଡରେ ଜୋରରେ ଦଳିବା ସହ ବେକ ଓ ମୁଣ୍ଡକୁ ପ୍ରଚଣ୍ଡ ପ୍ରହାର କରିଥିଲେ । ଫଳରେ ତାଙ୍କର ମୃତୁ୍ୟ ହୋଇଥିଲାା ହତ୍ୟାରେ କୌଣସି ଅସ୍ତ୍ର ବ୍ୟବହାର ହୋଇନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ତାପରେ ଘରୁ ସାଢେ ୪ ଭରିର ସୁନା ଚୋରି କରିନେଇଥିଲେ । ସବୁଠୁ ଗୁରତ୍ୱପୂର୍ଣ୍ଣ ହେଉଛି ଏସବୁ ଘଟଣା ଭିଡିଓ କଲରେ ରହି ଦେଖିବା ସହ ଇଷ୍ଟ୍ରକ୍ଟ କରୁଥିଲା ୧୩ ବର୍ଷୀୟ ନାତୁଣୀ । ହତ୍ୟାକାଣ୍ଡ ଦିନ ଜେଜେବାପା ଓ ନାତୁଣୀ ଘରେ ଏକାକୀ ଥିଲେ । ଦିନବେଳା ନାବାଳିକା ଟଙ୍କା ଓ ସୁନା ଚୋରି ଉଦ୍ୟମ କରୁଥିବା ବେଳେ ତାଗିଦ୍ କରିଥିଲେ ଜେଜେବାପା । ଜେଜେବାପାଙ୍କ ରାଗ ଓ ତାଗିଦରେ ରାଗି ଯାଇ ସେହି ଦିନହିଁ ତାଙ୍କୁ ରାସ୍ତାରୁ ହଟାଇବାକୁ ହୋଇଥିଲା ଫାଇନାଲ୍ ଚାଟ୍ । ଆଉ ରାତିରେ ଯୋଜନାକୁ ଅଂଜାମ୍ ଦେଇଦେଲେ ୩ ନାବାଳକ ।
ଅଗଷ୍ଟ ୧୭ରେ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କଷ୍ଟଡିକୁ ନେଇଥିଲା । ପୋଲିସ ପଚରାଉଚରାରେ ନାତୁଣୀ ମାଷ୍ଟରମାଇଣ୍ଡ ବୋଲି ଖୁଲାସା କରିଥିଲେ ୩ ନାବାଳକ । ବିଗତ ୨ମାସ ହେବ ଇନଷ୍ଟାଗ୍ରାମରେ ପ୍ଲାନିଂ ଚାଲିଥିବା ଚାଟ୍ କରି ହତ୍ୟା ଯୋଜନା କରୁଥିଲେ ବୋଲି ସମସ୍ତଙ୍କ ଫୋନରୁ ସୁରାକ୍ ମିଳିଲା । ସବୁ ମେସେଜ ରିକଭର କରି ଜେଜେବିକୁ ହସ୍ତାନ୍ତର କରିଛି ପୋଲିସ । ଏହାସହ ୬ଟି ସିମ୍ ଜବତ ହୋଇଛି । ଗୋଟିଏ ନମ୍ବର ହତ୍ୟାକାଣ୍ଡ ଦିନ କିଛି ସମୟ ପାଇଁ ଅନ୍ ଥିଲା । ଯେଉଁଥିରୁ ହତ୍ୟାକାରୀକୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା । ସିମ୍ ବିଷୟରେ ସବିଶେଷ ତଥ୍ୟ ସାଇବର ଏକ୍ସପର୍ଟଙ୍କ ନିକଟରୁ ହାତେଇ ନେଇଥିଲା ପୋଲିସ । ମାମଲାରେ ୮୭ ସାକ୍ଷୀ, ୯୮ତଥ୍ୟ ଓ ୧୨ ସୁରାକ୍ ସହ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସ ପ୍ରମାଣ ହିସାବରେ ହସ୍ତାନ୍ତର କରିଥିଲା ।
