ନୂଆଦିଲ୍ଲୀ: ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ହେଉଛି ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ପରବର୍ତ୍ତୀ ବଡ଼ ଲକ୍ଷ୍ୟ । ଟୋକିଓ ୨୦୨୦ରେ ସ୍ୱର୍ଣ୍ଣ (୮୭.୫୮ ମିଟର) ଏବଂ ପ୍ୟାରିସ୍ ୨୦୨୪ରେ ରୌପ୍ୟ (୮୯.୪୫ ମିଟର) ପଦକ ଜିତିବା ପରେ ନୀରଜଙ୍କ ପାଖରେ ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ ଇତିହାସରେ ୩ଟି କିମ୍ବା ତଦୂର୍ଦ୍ଧ୍ୱ ପଦକ ଜିତିବାରେ ବିଶ୍ୱର ଷଷ୍ଠ ପୁରୁଷ ଆଥଲେଟ୍ ହେବାର ସୁବର୍ଣ୍ଣ ସୁଯୋଗ ରହିଛି । ତେବେ ଏଥିପାଇଁ ତାଙ୍କୁ ପ୍ରଥମେ କ୍ୱାଲିଫିକେସନ୍ ପର୍ୟ୍ୟାୟ ପାର୍ କରିବାକୁ ହେବ । ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋ ନିୟମ ଅନୁଯାୟୀ, ପୂର୍ବତନ ଚାମ୍ପିୟନ କିମ୍ବା ପଦକ ବିଜେତାଙ୍କୁ ସିଧାସଳଖ ପ୍ରବେଶ ମିଳିନଥାଏ । ତେଣୁ ନୀରଜଙ୍କୁ ପୁଣିଥରେ କ୍ୱାଲିଫିକେସନ୍ ରାଉଣ୍ଡରେ ନିଜ ଦକ୍ଷତା ପ୍ରମାଣିତ କରିବାକୁ ପଡ଼ିବ । ନିକଟରେ ପିଠି ଏବଂ ଗୋଇଠି ଆଘାତ ସମସ୍ୟା ଯୋଗୁଁ ସେ ୨୦୨୬ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଥିଲେ, କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭାବେ ୨୦୨୮ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଧ୍ୟାନ ଦେଇଛନ୍ତି ।
ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ଜାରି କରାଯାଇଥିବା ଯୋଗ୍ୟତା ପ୍ରଣାଳୀ ଅନୁଯାୟୀ, ନୀରଜ ଚୋପ୍ରା ଦୁଇଟି ଉପାୟରେ ଅଲିମ୍ପିକ୍ସ ଟିକେଟ୍ ହାସଲ କରିପାରିବେ । ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ ପାଇଁ ଏଣ୍ଟ୍ରି ଷ୍ଟାଣ୍ଡାର୍ଡ ୮୫.୫୦ ମିଟର ଧାର୍ୟ୍ୟ କରାଯାଇଛି । ଏଥିପାଇଁ କ୍ୱାଲିଫିକେସନ୍ ୱିଣ୍ଡୋ ୧୯ ଜୁନ୍ ୨୦୨୭ ରୁ ୧୮ ଜୁନ୍ ୨୦୨୮ ପର୍ୟ୍ୟନ୍ତ ଖୋଲା ରହିବ । ନୀରଜଙ୍କୁ ଏହି ସମୟ ସୀମା ମଧ୍ୟରେ ୱାର୍ଲ୍ଡ ଆଥଲେଟିକ୍ସ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଅତି କମରେ ୮୫.୫୦ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିବାକୁ ହେବ (ସୂଚନାଯୋଗ୍ୟ ଯେ ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଜାତୀୟ ରେକର୍ଡ ୯୦.୨୩ ମିଟର ରହିଛି) । ଯଦି କୌଣସି କାରଣବଶତଃ ଖେଳାଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଏଣ୍ଟ୍ରି ଷ୍ଟାଣ୍ଡାର୍ଡ ହାସଲ କରି ନ ପାରନ୍ତି, ତେବେ ଦ୍ୱିତୀୟ ବିକଳ୍ପ ଭାବେ ୱାର୍ଲ୍ଡ ରାଙ୍କିଂ ଆଧାରରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ । ପ୍ରତ୍ୟେକ ଦେଶରୁ ସର୍ବାଧିକ ୩ ଜଣ ଖେଳାଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ।
