Latest Odisha News

BREAKING NEWS

ଟେକ୍‌ଅଫ୍‌ ପରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ପୁଣେରେ ଜରୁରୀ ଅବତରଣ

ପୁଣେ: ପୁଣେରୁ ଗ୍ବାହାଟୀ ଯାଉଥିବା ଇଣ୍ଡିଗୋର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ବିମାନଟିର ଲ୍ୟାଣ୍ଡିଂ ଗିୟର୍‌ (ଅବତରଣ ଚକ) ଉଡ଼ାଣ ପରେ ଉପରକୁ ଉଠିନପାରି ବାହାରେ ରହିଯାଇଥିଲା। ଏନେଇ ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି)କୁ ସୂଚନା ଦେଇଥିଲେ। ଫଳରେ ବିମାନଟିକୁ ପୁଣେ ବିମାନବନ୍ଦରରେ ଜରୁରୀକାଳୀନ ଭାବେ ଅବତରଣ କରାଯାଇଥିଲା।

ଇଣ୍ଡିଗୋର ୬ଇ ୦୬୨୩ (VT-IZE) ବିମାନରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୯୨ ଜଣ ଥିଲେ। ବିମାନରେ ତ୍ରୁଟି ସମ୍ପର୍କରେ ସୂଚନା ମିଳିବା ପରେ ପୁଣେ ବିମାନବନ୍ଦର କର୍ତ୍ତୃପକ୍ଷ ଏଟିସି, ଇଣ୍ଡିଗୋ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ କରି ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ ଫୁଲ୍‌ ଏମର୍ଜେନ୍ସି ଘୋଷଣା କରାଯାଇଥିଲା। ବିମାନବନ୍ଦରରେ ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଦଳକୁ ସତର୍କ ରଖାଯାଇଥିଲା।

ବିମାନର ଲ୍ୟାଣ୍ଡିଂ ଗିୟର୍‌ର ସ୍ଥିତି ଯାଞ୍ଚ କରିବା ପାଇଁ ପାଇଲଟ୍‌ ରନ୍‌ୱେ ଉପରେ ନିମ୍ନ ଉଡ଼ାଣ କରିଥିଲେ। ଏହାଦ୍ୱାରା ଲ୍ୟାଣ୍ଡିଂ ଗିୟର୍‌ର ଅବସ୍ଥାକୁ ତଳୁ ଯାଞ୍ଚ କରାଯାଇଥିଲା। ପରେ ସକାଳ ୯ଟା ୪ ମିନିଟ୍‌ରେ ବିମାନଟି ପୁଣେ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଅବତରଣ ପରେ ତିନୋଟି ଅଗ୍ନିଶମ ଗାଡ଼ି ଓ ଦୁଇଟି ଆମ୍ବୁଲାନ୍ସର ଉପସ୍ଥିତିରେ ବିମାନକୁ ବେ’ ନମ୍ବର ୭କୁ ନିଆଯାଇଥିଲା। ବିମାନର ସ୍ଥିତି ସ୍ୱାଭାବିକ ଓ ସୁରକ୍ଷିତ ଥିବା ନିଶ୍ଚିତ ହେବା ପରେ ସକାଳ ୯ଟା ୧୦ ମିନିଟ୍‌ରେ ଏଟିସି ପକ୍ଷରୁ ଫୁଲ୍‌ ଏମର୍ଜେନ୍ସି ପ୍ରତ୍ୟାହାର କରାଯାଇଥିଲା। ଏହାପରେ ବିମାନ ସହ ଏୟାରୋବ୍ରିଜ୍‌ ସଂଯୋଗ କରାଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ଖବର ମିଳିନାହିଁ। ବିମାନରେ ଥିବା ସମସ୍ତ ୧୯୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.