ଭୁବନେଶ୍ୱର: ମାଲକାନଗିରିରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତି ବର୍ଗ ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ ବୋଲି ସେ କହିଥିଲେ।
ଏହି ଗୌରବମୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଥିମଧ୍ୟରୁ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ନିମନ୍ତେ ୫୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ବେଳେ, ଜିଲ୍ଲାର ଭିତ୍ତିଭୂମି ଓ ସାମଗ୍ରିକ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାରେ ବିର୍ସା ଥିଲେ ଜଣେ ଅଗ୍ରଣୀ ନାୟକ। ତାଙ୍କ ପ୍ରେରଣାରେ ସମଗ୍ର ଆଦିବାସୀ ସମାଜ ସ୍ୱାଧୀନଚେତା ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଦେଶର ଆଦିବାସୀମାନେ ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି ବର୍ଗର ସାମଗ୍ରିକ ଉନ୍ନତିରେ ହିଁ ଆମେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ଆଜିର ଏହି ଜନଜାତୀୟ ଗୌରବ ଦିବସ ପାଳନ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଏହା ଆମ ଜନଜାତି ସମାଜର ଗୌରବମୟ ଇତିହାସ, ପରମ୍ପରା, ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ସ୍ମରଣ କରିବା ସହିତ ଆଗାମୀ ପିଢ଼ି ମଧ୍ୟରେ ଏହାର ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର ଅଟେ।
ମାଲକାନଗିରି ଜନସଂଖ୍ୟାର ୫୮ ପ୍ରତିଶତ ହେଉଛନ୍ତି ଜନଜାତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେଥିପାଇଁ ସାମାଜିକ, ଆର୍ଥିକ ଓ ପ୍ରଶାସନିକ ଦୃଷ୍ଟିରୁ ମାଲକାନଗିରିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ। ମାଲକାନଗିରି ଜିଲ୍ଲାରେ ୪,୨୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଶିଳ୍ପ ପ୍ରକଳ୍ପ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଲକାନଗିରି ଜିଲ୍ଲାର ବିକାଶ ଉପରେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ ରହିଛି। ସମୃଦ୍ଧ ଓଡିଶା ଗଠନ ଦିଗରେ ଟିମ୍ ଓଡିଶା ରେ ସାମିଲ୍ ହେବା ପାଇଁ ଟିମ୍ ମାଲାକାନଗିରି ଗଠନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦’ ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକର ପ୍ରାୟ ୮ ଲକ୍ଷ ଅନୁସୂଚିତ ଜନଜାତି ଓ ବିଶେଷ ଅନୁନ୍ନତ ଜନଜାତି (PVTG) ପରିବାରକୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ଓଡିଶାକୁ ୪ ଲକ୍ଷ ଘର ଆବଣ୍ଟନ ହୋଇଥିଲା। ତାଙ୍କର ବ୍ୟକ୍ତିଗତ ଅନୁରୋଧ ପରେ ଏହାକୁ ଆଉ ୧ ଲକ୍ଷ ବଢା ଯାଇ ୫ ଲକ୍ଷ ଘର ଆବଣ୍ଟନ କରାଯାଇଛି। ତେବେ, ସେ ଆହୁରି ୧ ଲକ୍ଷ ଘର ପାଇଁ ଦାବୀ କରିଛନ୍ତି। ଖୁବ୍ ଶୀଘ୍ର ଏହା ପୂରଣ ହେବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଇଞ୍ଜିନିଅରିଙ୍ଗ୍ ଓ ମେଡିକାଲ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ସହିତ ଓଡ଼ିଶାରେ ଏକକାଳୀନ ୨୪ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି, ଯାହା ସମଗ୍ର ଦେଶରେ ସର୍ବାଧିକ।
ଆଦିବାସୀ ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ଏବଂ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଅଧୀନରେ ଓଡ଼ିଶାର ୨୭ଟି ଜିଲ୍ଲାର ୭ ହଜାର ୬୬୭ଟି ଗ୍ରାମକୁ ସାମିଲ କରାଯାଇ ପକ୍କା ଘର, ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା ଯୋଗାଇ ଦିଆଯାଉଛି।
ମାଲକାନଗିରିର ଦୁର୍ଗମ ଅଞ୍ଚଳରୁ ଆସି ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏବଂ ଦିଦାୟୀ ଜନଜାତିର ଚମ୍ପା ରାସପେଦା ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ NEET ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ, ବଣ୍ଡା ଜନଜାତିର ବିନି ମୁଦୁଲି ଏବଂ ଆଦିବାସୀ ସମ୍ପ୍ରଦାୟର ଶ୍ୟାମା ମାଢ଼ୀ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ନୂତନ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଦାୟୀ ଜନଜାତି ବର୍ଗର ୨ଜଣ Ph.D ଛାତ୍ର ଏବଂ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
