ମୁମ୍ବାଇ: ବଲିଉଡର ମହାନାୟକ ବିଗ୍ ବି-ଅମିତାଭ ବଚ୍ଚନଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ନିଜ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି କି, ‘ବଚ୍ ଗୟେ’। ନା ତା ଆଗକୁ କିଛି ଲେଖିଛନ୍ତି, ନା ଆଉ କିଛି ସ୍ପଷ୍ଟ କରିଛନ୍ତି। ନିଜ ଚିରାଚରିତ ମଜାଲିଆ ଢଙ୍ଗରେ ‘ବଞ୍ଚିଗଲି’ ଲେଖିଛନ୍ତି। ଯାହାକୁ ନେଇ ଏବେ ସସପେନ୍ସ ଲାଗି ରହିଛି। ମାତ୍ର ଦୁଇଟି ଶବ୍ଦ ଲେଖି ଚର୍ଚ୍ଚାକୁ ଆସିଛନ୍ତି ବିଗ୍ ବି।
ନିଜ ଏକ୍ସ ଆକାଉଣ୍ଟରେ ଅମିତାଭ ଲେଖିଛନ୍ତି ବଚ୍ ଗୟେ । ଅର୍ଥାତ୍ ‘ବଞ୍ଚିଗଲୁ’ ବା ‘ବର୍ତ୍ତିଗଲୁ’। ଗତକାଲି ଅମିତାଭ କରିଥିବା ଏହି ପୋଷ୍ଟର ଅର୍ଥ କ’ଣ? କେଉଁ ପରିସ୍ଥିତିରୁ ବର୍ତ୍ତିଯିବା କଥା କହିଛନ୍ତି ମହାନାୟକ? ଏହାକୁ ନେଇ ସୋସିଆଲ ମିଡିଆରେ ଉତ୍ସୁକତା ଦେଖାଦେଇଛି। ତେବେ ପୋଷ୍ଟ ପଛରେ ଥିବା ପ୍ରକୃତ କାରଣ ସମ୍ପର୍କରେ ଅମିତାଭ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ତେଣୁ ଏହାକୁ ତାଙ୍କ ସ୍ୱାସ୍ଥ୍ୟ କିମ୍ବା କୌଣସି ଅଘଟଣ ସହ ଯୋଡ଼ିବା ଠିକ୍ ହେବ ନାହିଁ। ସୋସିଆଲ ମିଡିଆରେ ନିୟମିତ ଭାବେ ସକ୍ରିୟ ରହୁଥିବା ବିଗ୍ ବି ପୂର୍ବରୁ ମଧ୍ୟ ଏଭଳି ଛୋଟ ଛୋଟ ପୋଷ୍ଟ କରିଆସୁଛନ୍ତି। କେତେବେଳେ ‘ଠିକ୍’, ତ ଆଉ କେତେବେଳେ ‘ଶୁଣିଲି’ ଭଳି ଶବ୍ଦ ଲେଖିଛନ୍ତି। ଏବେ ପୁଣି ‘ବଞ୍ଚିଗଲୁ’ ପୋଷ୍ଟ ପରେ ଉଠିଛି ଅନେକ ପ୍ରଶ୍ନ। ତେବେ ଏହାକୁ ନେଇ ଅମିତାଭଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଏହି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଦୁଇ ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିବା ଖବର ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ଜଣେ ଜଣେ ବଡ଼ ବଲିଉଡ୍ ଅଭିନେତାଙ୍କ ଘର ବାହାରେ ଗୁଳିମାଡ଼ କରିବାକୁ ଯୋଜନା କରୁଥିବା ପୋଲିସ ସନ୍ଦେହ କରୁଛି। ତେବେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ ପଞ୍ଜାବର ଦୁଇ ଜଣ ଶାର୍ପ ସୁଟର ବିକାଶ ଠାକୁର ଓରଫ ବିକି ଏବଂ ଦୀପକ ସିଂହ ଓରଫ ଦୀପଙ୍କୁ ଗିରଫ କରିଛି। ଦୀପକଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ବେଳେ ସେ ପଞ୍ଜାବର ତରନତାରନ ଅଞ୍ଚଳର ବାସିନ୍ଦା। ଅନ୍ୟପଟେ ବିକାଶ ଠାକୁରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ସେ ଜଳନ୍ଧରର ବାସିନ୍ଦା ବୋଲି ଜଣାପଡ଼ିଛି।
ପୋଲିସର ସନ୍ଦେହ ଯେ, ଦୀପକଙ୍କୁ ଜଣେ ବଡ଼ ସୁପରଷ୍ଟାରଙ୍କ ଘର ବାହାରେ ଗୁଳିମାଡ଼ କରିବାର ଦାୟିତ୍ୱ ଦିଆଯାଇଥିଲା। ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ସମ୍ପର୍କରେ ଜଣେ ସୁପରଷ୍ଟାର ଦେଇଥିବା ବୟାନକୁ ନେଇ ତାଙ୍କୁ ଟାର୍ଗେଟ୍ କରିବାର ଷଡ଼ଯନ୍ତ୍ର ହୋଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ବିକାଶଙ୍କୁ ପଚରାଉଚରା ପରେ ମୁମ୍ବାଇରେ ଥିବା ଦୀପକଙ୍କ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଅନ୍ୟପଟେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ କରିବା ଦାୟିତ୍ୱ ମଧ୍ୟ ଦୀପକଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ଅମୃତସରରେ କିଛି ଦିନ ପୂର୍ବରୁ ଘଟିଥିବା ଇନ୍ଫ୍ଲୁଏନ୍ସର ମ୍ୟାଡ୍ ସାନ୍ଧୁ ହତ୍ୟାକାଣ୍ଡରେ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ମୁମ୍ବାଇସ୍ଥିତ ଅମିତାଭଙ୍କ ବାସଭବନ ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଏହି ଧମକ ପରେ ମଧ୍ୟ ନଭେମ୍ବର ୧୫ ତାରିଖ ରବିବାର ଦିନ ସେ ପୂର୍ବପରି ନିଜ ପ୍ରଶଂସକଙ୍କୁ ଭେଟିଥିଲେ। ଏଥର ଅମିତାଭ ବୁଲେଟ୍ପ୍ରୁଫ୍ ଗ୍ଲାସ୍ର ସୁରକ୍ଷା ବିନା ଫ୍ୟାନ୍ସଙ୍କ ସାମ୍ନାକୁ ଆସିଥିଲେ। ହାତ ହଲାଇ ସେ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ ଅମିତାଭଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ।
