ବାଲେଶ୍ୱର: ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ୧ କୋଟି ୨୨ ଲକ୍ଷ ଟଙ୍କାର ଆର୍ଥିକ ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (EOW) ବିଜେଡି ନେତା ରାଜା ଚକ୍ରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି। ବାଲେଶ୍ୱର ଜେଲରୁ ରିମାଣ୍ଡରେ ଆଣିଲା EOW ଟିମ୍। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ସେ ପୂର୍ବରୁ ବାଲେଶ୍ୱର ଜେଲରେ ଥିଲେ। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ମାମଲାରେ ଜେରା ଚାଲିଛି।
EOW ଟିମ୍ ବାଲେଶ୍ୱର ଜେଲରୁ ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ଜାରି ରଖିଛି। ଏହି ନୂଆ ମାମଲାରେ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରିବା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ପ୍ରମାଣ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜଣେ ମହିଳାଙ୍କ ଜମି ଓ କ୍ରସର ୟୁନିଟ୍କୁ କ୍ଷମତାର ଅପବ୍ୟବହାର କରି ରାଜା ଚକ୍ର ଓ ତାଙ୍କ ସହଯୋଗୀମାନେ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ସମ୍ପୃକ୍ତ ମହିଳାଙ୍କଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ଠକି ନେଇଥିବା ନେଇ EOW ନିକଟରେ ଅଭିଯୋଗ ଦାଖଲ ହୋଇଥିଲା।
ଏହି ଘଟଣାରେ EOW ପକ୍ଷରୁ ଏକ ନୂଆ ମାମଲା (FIR ନମ୍ବର ୧୬) ରୁଜୁ କରାଯାଇଛି। ଠକେଇ ସହ ଖଣି ଅଞ୍ଚଳରେ ସଂଗଠିତ ଅପରାଧ ଚଳାଇବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର (BNS) ଧାରା ୧୧୧ ସମେତ ଅନ୍ୟାନ୍ୟ ଦଫା ଲଗାଯାଇଛି। ଏହି କ୍ରସର କିଣାବିକା ଓ ଜବରଦଖଲ ମାମଲାର ତଦନ୍ତ ପାଇଁ ଚଳିତ ମାସ ପ୍ରାରମ୍ଭରେ EOW ପକ୍ଷରୁ କେନ୍ଦୁଝର ସ୍ଥିତ ରାଜା ଚକ୍ର ଓ ତାଙ୍କ ସହଯୋଗୀ ସଦାଶିବ ସାମଲଙ୍କ ଘର ଓ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
