ନୂଆଦିଲ୍ଲୀ: AI ସପ୍ଲାଏ ଚେନ୍ ସୁରକ୍ଷିତ ରଖିବାକୁ ଆମେରିକା ନେତୃତ୍ୱାଧୀନ ଘୋଷଣାନାମାରେ ସ୍ୱାକ୍ଷର କଲା ଭାରତ । ଚୀନ୍ ସହ ବଢ଼ୁଥିବା ପ୍ରତିଯୋଗିତା ମଧ୍ୟରେ ଏହି ପଦକ୍ଷେପ ନେଇଛି ଭାରତ । ଏନେଇ ଆମେରିକାର ଅର୍ଥନୈତିକ ବ୍ୟାପାର ଉପ-ସଚିବ ଜାକବ୍ ହେଲବର୍ଗ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଭାରତ ସମେତ ଦକ୍ଷିଣ କୋରିଆ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଏହି ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି । ଏହି ଘୋଷଣାନାମା ଆମେରିକା ସମେତ ଜାପାନ, ଅଷ୍ଟ୍ରେଲିଆ, ଇସ୍ରାଏଲ୍ ଏବଂ ବ୍ରିଟେନ୍ ଭଳି ସହଯୋଗୀ ଦେଶଗୁଡ଼ିକୁ ଏକାଠି କରି ଏଆଇ ବିକାଶ ପାଇଁ ଅତ୍ୟାବଶ୍ୟକ ଟେକ୍ନୋଲୋଜି ଓ ସପ୍ଲାଏ ଚେନକୁ ଚିହ୍ନଟ ଏବଂ ସୁରକ୍ଷିତ କରିବ ।
ଜାକବ୍ ହେଲବର୍ଗ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି । ଚିପ୍ ଡିଜାଇନ୍, ନିର୍ମାଣ ଏବଂ ପରିବହନ ପାଇଁ ବିଭିନ୍ନ ଦେଶ ପରସ୍ପର ଉପରେ ନିର୍ଭରଶୀଳ, ତେଣୁ ସହଭାଗୀ ଦେଶମାନେ ମିଳିତ ଭାବେ ଏହାର ସୁରକ୍ଷା ଦାୟିତ୍ୱ ନେବା ଏକ ଐତିହାସିକ ପଦକ୍ଷେପ ।
ଏହି ଚୁକ୍ତି ଆମେରିକା ନେତୃତ୍ୱାଧୀନ ‘ପ୍ୟାକ୍ସ ସିଲିକା’ (Pax Silica) ପଦକ୍ଷେପ ଅଧୀନରେ ଆସୁଛି, ଯାହା ସେମିକଣ୍ଡକ୍ଟର ନିର୍ମାଣ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ । ଚୀନର ଅର୍ଥନୈତିକ ଚାପ ଓ ପ୍ରତିଯୋଗିତା ବଢ଼ୁଥିବାରୁ ସହଯୋଗୀ ଦେଶଙ୍କ ମଧ୍ୟରେ ସମନ୍ୱୟ ମଜବୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ।
