ହାଇଦ୍ରାବାଦ: ଚମକି ପଡିଲେ ଲୋକେ! ଏ କି ଦୃଶ୍ୟ! ଜିଅନ୍ତା ସାପକୁ ଖାଇଦେଲା ବେଙ୍ଗ! ସାଧାରଣତଃ ସାପ ବେଙ୍ଗକୁ ଗିଳିବାର ଘଟଣା ଦେଖିବାକୁ ମିଳେ। କିନ୍ତୁ ତେଲେଙ୍ଗାନାରେ ଏହାର ଓଲଟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବଡ଼ ବେଙ୍ଗ ଏକ ନାଗସାପକୁ ଗିଳିଦେଇଛି। ଏହି ବିରଳ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ଅଜବ ଘଟଣା ଘଟିଛି ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲା ଅନ୍ତର୍ଗତ ବୁର୍ଗମପାଡୁ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ବୁର୍ଗମପାଡୁରେ ରହୁଥିବା ଗୁଣ୍ଡେ ସରୟ୍ୟାଙ୍କ ଘର ଅଗଣାରୁ ହଠାତ୍ ଏକ ଜୋର୍ ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ଶୁଣି ପରିବାର ସଦସ୍ୟମାନେ ଏହାର କାରଣ ଜାଣିବା ପାଇଁ ବାହାରକୁ ଧାଇଁ ଆସିଥିଲେ। ସେମାନେ ଅଗଣାରେ ଥିବା ନାଳ ନିକଟକୁ ଯାଇ ଯାହା ଦେଖିଲେ, ତାହା ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡ଼ିଥିଲେ। କାରଣ ସେ ଦେଖିବାକୁ ପାଇଥିଲେ ଏକ ବଡ଼ ବେଙ୍ଗଟି ସାପକୁ କାମୁଡି ଧରିଛି । ଆଉ ଜୀବନ ବିକଳରେ ଛଟପଟ ହେଉଛି ସାପ । ଭଲକି ଦେଖିବା ପରେ ଜଣାପଡିଥିଲା ସାପଟି ଗୋଟେ ନାଗସାପ ଥିଲା । ଆଉ କିଛି ସମୟ ପରେ ବେଙ୍ଗଟି ପୂରା ସାପକୁ ଗିଳିଦେଇଥିଲା । ସାଧାରଣତଃ ବେଙ୍ଗ ସାପର ଖାଦ୍ୟ ହୋଇଥିବା ବେଳେ ଏଭଳି ଅସାଧାରଣ ଦୃଶ୍ୟ ଦେଖିବା ପରେ ଘଟଣାସ୍ଥଳରେ ଧୀରେ ଧୀରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକେ ବେଙ୍ଗଟି ନାଗସାପକୁ ଗିଳୁଥିବା ଦୃଶ୍ୟକୁ ନିଜ ମୋବାଇଲ୍ ଫୋନ୍ରେ କଏଦ କରିଥିଲେ। ଏହି ଭିଡିଓରେ ଏକ ବଡ଼ ବେଙ୍ଗ ନିଜ ପାଟିରେ ସାପକୁ ଧରି ଗିଳୁଥିବା ଦେଖିବାକୁ ମିଳୁଛି। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ତେବେ ଏହା ପ୍ରଥମ ନୁହେଁ, କେତେକ ବଡ ବେଙ୍ଗ, ଆକାରରେ ଛୋଟ ସାପକୁ ହିଁ ସେମାନଙ୍କର ଶିକାର ବନାଇନିଅନ୍ତି । ଏହା ପରିସଂସ୍ଥାର ଏକ ଚମତ୍କାର ଦୃଶ୍ୟ । ଏମିତି ଅନେକ ଦୃଶ୍ୟ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ତଥାପି ତେଲେଙ୍ଗାନାର ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଚକିତ ହୋଇପଡ଼ିଛନ୍ତି। ଯାହା ସେମାନାଙ୍କ ପାଇଁ ପ୍ରାୟତଃ ଅସାଧାରଣ ।
