ନୂଆଦିଲ୍ଲୀ: ରବିବାର ଦିନ ବୈଧ ଟିକେଟ୍ ବିନା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ଚଢ଼ିବା କେତେ ବିପଜ୍ଜନକ ହୋଇପାରେ, ତାହା ୧୩ ଜଣ ଯାତ୍ରୀ ହୃଦୟଙ୍ଗମ କରିଛନ୍ତି। କାରଣ ଚଳନ୍ତା ଟ୍ରେନ୍ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିବା ସହ ଶେଷରେ ସେମାନଙ୍କୁ ୩୬,୧୪୦ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା।
ଏହି ୧୩ ଜଣଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଥିଲେ। ସେମାନେ ନିଜ ପରିବାର ସଦସ୍ୟଙ୍କୁ ବିଦାୟ ଦେବା ଏବଂ ସେମାନଙ୍କ ସାମାନ ରଖିବା ପାଇଁ ‘ବନାରସ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍’ରେ ଚଢ଼ିଥିଲେ। ତେବେ ଟ୍ରେନର ସ୍ୱୟଂଚାଳିତ କବାଟ ବନ୍ଦ ହେବା ବ୍ୟବସ୍ଥା ଯୋଗୁଁ ଟ୍ରେନ୍ ଛାଡ଼ିବା ପୂର୍ବରୁ ସେମାନେ ଓହ୍ଲାଇ ପାରିନଥିଲେ ଏବଂ ଟ୍ରେନ୍ ଭିତରେ ଫସି ରହିଯାଇଥିଲେ।
ଟୁଣ୍ଡଲା କଣ୍ଟ୍ରୋଲ୍ ରୁମ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ରେଳ ସୁରକ୍ଷା ବଳ (RPF) କର୍ମଚାରୀ, ସରକାରୀ ରେଳ ପୋଲିସ (GRP) ଅଧିକାରୀ ଏବଂ ଷ୍ଟେସନ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ‘ଚିଫ୍ ଟିକେଟ୍ ଚେକିଂ ଇନ୍ସପେକ୍ଟର’ (CTI) ଏହାର ତଦନ୍ତ କରିଥିଲେ।
ତଦନ୍ତ ସମୟରେ ଜଣାପଡ଼ିଲା ଯେ, ୧୨ ଜଣ ବୟସ୍କ ଏବଂ ଜଣେ ଶିଶୁ କୌଣସି ବୈଧ ଟିକେଟ୍ ବିନା ଯାତ୍ରା କରୁଥିଲେ। ରେଳ ନିୟମ ଅନୁଯାୟୀ, ସେମାନଙ୍କୁ ‘ଅନଧିକୃତ ଯାତ୍ରୀ’ ଭାବରେ ବିବେଚନା କରାଯାଇଥିଲା। ଯାହା ପରେ ସେମାନଙ୍କ ଉପରେ ୩୬,୧୪୦ ଟଙ୍କା ଫାଇନ ଲଗାଯାଇଥିଲା।
