Latest Odisha News

BREAKING NEWS

ଡିଜିଟାଲ ବଜାରରେ ମିଳିବ ‘ସୁଭଦ୍ରା ଶକ୍ତି’ ଉତ୍ପାଦ

VillaMart ଇ-କମର୍ସ ପ୍ଲାଟଫର୍ମରେ ଅନଲାଇନ୍ ବିକ୍ରି ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତୀକରଣ, ଉଦ୍ୟୋଗ ବିକାଶ ଓ ସ୍ଥାୟୀ ଜୀବିକା ସୃଷ୍ଟିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ୩,୨୬,୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪୭.୩୪ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିସହ ୨୭ଟି ଜିଲ୍ଲାର ୮,୯୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୬.୦୩ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ୨୨ଟି ଜିଲ୍ଲାର ୨୦୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୬୦.୪୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୧୦ଟି ଜିଲ୍ଲାର ୩୭୬ଟି ଆଞ୍ଚଳିକ ମଞ୍ଚକୁ ୫.୩୭ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି। ଏହି ଆର୍ଥିକ ସହାୟତା ମହିଳାମାନଙ୍କ ଉଦ୍ୟୋଗ ଓ ଜୀବିକାଭିତ୍ତିକ କାର୍ଯ୍ୟକଳାପର ସମ୍ପ୍ରସାରଣରେ ସହାୟକ ହେବ। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସୁଭଦ୍ରା ଶକ୍ତି ବଜାରର ଏକ ନୂତନ ଉତ୍ପାଦ କ୍ୟାଟାଲଗ୍‌କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚନ କରିଛନ୍ତି। ଏହି କ୍ୟାଟାଲଗ୍‌ରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଦ୍ୱାରା ପ୍ରସ୍ତୁତ ବିବିଧ ପ୍ରକାରର ଉତ୍ପାଦଗୁଡ଼ିକୁ ସ୍ଥାନ ଦିଆଯାଇଛି। ସେହିପରି ସମାବେଶୀ ଆଜୀବିକା ଯୋଜନା ଅଧୀନରେ ବିଶେଷକରି ପ୍ରବାସନପ୍ରବଣ ଅଞ୍ଚଳର ଅତି ଦୁର୍ବଳ ପରିବାରଗୁଡ଼ିକର ଜୀବିକା ସୁଦୃଢ଼ୀକରଣ, ସାମାଜିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଓ ସରକାରୀ ସୁବିଧା ସହ ସଂଯୋଗ ସ୍ଥାପନ ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଓ ଦି ନଜ୍ ଲାଇଫ୍‌ସ୍କିଲ୍ସ ଫାଉଣ୍ଡେସନ୍ (The Nudge Lifeskills Foundation) ମଧ୍ୟରେ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।

କାର୍ଯ୍ୟକ୍ରମରେ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI)ର ବୈଷୟିକ ସହଯୋଗରେ ପ୍ରସ୍ତୁତ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (Low-GI) ବିଶିଷ୍ଟ ଚାଉଳଭିତ୍ତିକ ଇଡ୍‌ଲି ରାୱା, ଚୁଡ଼ା, ଚାଉଳ ଓ ମିଲେଟ୍‌ଭିତ୍ତିକ ପୁଷ୍ଟିକର କୁକିଜ୍ ଏବଂ ପ୍ରିମିୟମ୍ ସୁଗନ୍ଧିତ କଳାଜିରା ଚାଉଳର ଶୁଭାରମ୍ଭ କରାଯାଇଛି।

ଏଥିସହ ମହିଳା କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକର ବଜାର ସଂଯୋଗ ସମ୍ପ୍ରସାରଣ ନିମନ୍ତେ ୬ଟି ବ୍ୟବସାୟିକ ବୁଝାମଣାପତ୍ର ଓ ସହଭାଗିତା ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ୪ କୋଟି ୫୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ସମ୍ଭାବ୍ୟ ବ୍ୟବସାୟିକ କାରବାରର ସୁଯୋଗ ସୃଷ୍ଟି ହୋଇଛି। ଏହି ସହଭାଗିତାରେ ଉତ୍ତରାଖଣ୍ଡର KiWi Kisan Window, ତେଲଙ୍ଗାନାର Vajrateja Rice Cluster Pvt. Ltd., କଳାହାଣ୍ଡିର Bijayalaxmi Paddy & Agro Pvt. Ltd., ଭୁବନେଶ୍ୱରର VillaMart, ଗୁରୁଗ୍ରାମର KisaanSay Agtech Pvt. Ltd. ଏବଂ ପାରଳାଖେମୁଣ୍ଡିର Esse Naturals & Nutrition Pvt. Ltd. (DIAFIT) ସାମିଲ ହୋଇଛନ୍ତି। ଏହାଦ୍ୱାରା କଳାଜିରା ଚାଉଳ, Low-GI ଚାଉଳ, ଚୁଡ଼ା, ଇଡ୍‌ଲି ରାୱା ଓ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦ ପାଇଁ ଅନୁଷ୍ଠାନିକ କ୍ରୟ ଓ ସିଧାସଳଖ ଗ୍ରାହକ ବଜାର ସଂଯୋଗ ଅଧିକ ସୁଦୃଢ଼ ହେବ।

ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ଡିଜିଟାଲ୍ ବଜାରରେ ପହଞ୍ଚାଇବା ଦିଗରେ ଭୁବନେଶ୍ୱରସ୍ଥିତ VillaMartର ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀର ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଉତ୍ପାଦର ଅନଲାଇନ୍ ପ୍ରଦର୍ଶନ ଓ ପ୍ରଚାରର ଶୁଭାରମ୍ଭ କରାଯାଇଛି। ଏହା ମହିଳା ଉଦ୍ୟୋଗୀଙ୍କ ଉତ୍ପାଦର ବଜାର ପରିସର ବୃଦ୍ଧି ସହ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ସୃଷ୍ଟି କରିବ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଉଦ୍ୟୋଗୀକରଣକୁ ରାଜ୍ୟର ସାମଗ୍ରିକ ବିକାଶର ଏକ ପ୍ରମୁଖ ଆଧାର। ଆର୍ଥିକ ସହାୟତା ସହ ଦକ୍ଷତା ବିକାଶ, ପ୍ରଯୁକ୍ତିଗତ ସହଯୋଗ ଓ ବଜାର ସଂଯୋଗ ଯୋଗାଇଦେବା ଦ୍ୱାରା ସେମାନଙ୍କ ଉଦ୍ୟୋଗୀ ଯାତ୍ରା ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ବିକଶିତ ଓଡ଼ିଶା ୨୦୩୬ର ଲକ୍ଷ୍ୟ ହାସଲ ଦିଗରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କର ଦୁଇଗୁଣା ପ୍ରଗତି ହେଉଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯେ, ଚଳିତ ନଭେମ୍ବର ୨୪ ଓ ୨୫ ତାରିଖରେ ଆମର ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମା’ମାନେ ବ୍ୟବସାୟ ପାଇଁ ଇଣ୍ଡୋନେସିଆର ବାଲି ଯାତ୍ରା କରିବାକୁ ଯାଉଛନ୍ତି। ପ୍ରାଚୀନ କାଳରେ ଓଡ଼ିଶାର ସାଧବ ପୁଅମାନେ ଯେପରି ବୋଇତରେ ବିଦେଶ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ, ଆଜି ଆମର ମହିଳା ଉଦ୍ୟୋଗୀମାନେ ସେହି ଐତିହ୍ୟକୁ ପୁନର୍ଜୀବିତ କରି ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ବ୍ୟାଙ୍କ ଓ ସହଯୋଗୀ ସଂସ୍ଥାର ପ୍ରତିନିଧି, ମହିଳା କୃଷକ ଉତ୍ପାଦକ କମ୍ପାନୀର ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.