Latest Odisha News

BREAKING NEWS

ପାଲେଷ୍ଟାଇନ ଖେଳାଳିଙ୍କ ଜାତିଆଣ ଇଙ୍ଗିତ ବିରୋଧରେ ଭାରତ କଡ଼ା ପଦକ୍ଷେପ; AFC ନିକଟରେ କଲା ଅଭିଯୋଗ AIFF

ନୂଆଦିଲ୍ଲୀ: ଏଏଫସି ୧୭ ବର୍ଷରୁ କମ୍ ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଡାଲାଲମୁଓନ୍ ଗାଙ୍ଗଟେଙ୍କ ପ୍ରତି ପାଲେଷ୍ଟାଇନର ଜଣେ ଖେଳାଳିଙ୍କ ଅଶୋଭନୀୟ ତଥା ଜାତିଆଣ ଇଙ୍ଗିତକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଏସୀୟ ଫୁଟବଲ ପରିସଂଘ ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରାଯାଇଛି।

ମଙ୍ଗଳବାର ମାଲେସିଆର କୁଆଲାଲମ୍ପୁର ଫୁଟବଲ ଷ୍ଟାଡିୟମରେ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ ଚାଲିଥିବା ସମୟରେ ପାଲେଷ୍ଟାଇନର ଜଣେ ଖେଳାଳି ଭାରତୀୟ ଅଧିନାୟକ ଗାଙ୍ଗଟେଙ୍କ ନିକଟରେ ଠିଆ ହୋଇ ନାକ ଆଗରେ ହାତ ହଲାଇ ଦୁର୍ଗନ୍ଧ ହେଉଥିବାର ଅଭିନୟ କରିଥିଲେ। ଏହାର ଲାଇଭ୍ ପ୍ରସାରଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ରୀଡ଼ାପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହି ଘଟଣାରେ AIFF ଏକ ବିବୃତ୍ତି ଜାରି କରି କହିଛି ଯେ, ଫୁଟବଲ ଖେଳରେ କୌଣସି ପ୍ରକାରର ଜାତିଆଣ ଭେଦଭାବ ବା ଅସମ୍ମାନଜନକ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ଏହା ଖେଳୁଆଡ଼ ମନୋଭାବ, ସମାନତା ଏବଂ ସମ୍ମାନର ମୌଳିକ ନୀତି ବିରୋଧୀ । ମ୍ୟାଚ୍‌ର ଉପଲବ୍ଧ ଭିଡିଓ ଫୁଟେଜ୍ ଯାଞ୍ଚ କରି ସମ୍ପୃକ୍ତ ଖେଳାଳିଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ AIFF ପକ୍ଷରୁ AFCକୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ, ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ପାଲେଷ୍ଟାଇନକୁ ୪-୧ ଗୋଲରେ ପରାସ୍ତ କରିଛି* । ପ୍ରବଳ ବର୍ଷା ଯୋଗୁଁ ଦ୍ୱିତୀୟାର୍ଦ୍ଧ ଖେଳ ଦୁଇ ଘଣ୍ଟାରୁ ଅଧିକ ସମୟ ବିଳମ୍ବିତ ହୋଇଥିଲା। ଭାରତ ପକ୍ଷରୁ କାମଗୌହାଓ ଡୁଙ୍ଗେଲ, ମୁକୁନ୍ଦ ସିଂ ନିଙ୍ଗଥୌଜାମ, ଅଧିନାୟକ ଡାଲାଲମୁଓନ୍ ଗାଙ୍ଗଟେ ଏବଂ ଜୋରାମଡିନ୍ଥାରା ଲାଲହୁନମାୱିଆ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଗ୍ରୁପ୍-‘ଇ’ରେ ଅପରାଜେୟ ଥିବା ଭାରତୀୟ ଦଳ ଏସିଆନ୍ କପ୍ ଯୋଗ୍ୟତା ଅର୍ଜନ କରିବା ପାଇଁ ପରବର୍ତ୍ତୀ ମ୍ୟାଚ୍‌ରେ ଆୟୋଜକ ମାଲେସିଆ ବିପକ୍ଷରେ ମାତ୍ର ଗୋଟିଏ ପଏଣ୍ଟ ଆବଶ୍ୟକ କରୁଛି।

Leave A Reply

Your email address will not be published.