ଭୁବନେଶ୍ୱର: ବାତ୍ୟା ଅକ୍ଓ୍ୱାନକୁ ନେଇ ଆସିଲ ନୂଆ ଅପଡେଟ୍। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଏହା ନରସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।
IMD ଦ୍ୱାରା ବୁଧବାର ଦିନ ଜାରି କରାଯାଇଥିବା ଏକ ବୁଲେଟିନ୍ ଅନୁଯାୟୀ, ଅତ୍ୟନ୍ତ ଭୀଷଣ ବାତ୍ୟା ‘ଅକ୍ଓ୍ୱାନ’ (Akvan) ନିଜର ଗତିପଥ ପରିବର୍ତ୍ତନ କରିଛି। ବର୍ତ୍ତମାନର ଆକଳନ ଅନୁଯାୟୀ, ଏହା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଏବଂ ଏହାର ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଏହି ବାତ୍ୟା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ସର୍ବଶେଷ ସୂଚନା ଅନୁଯାୟୀ, ବାତ୍ୟା ‘ଅକ୍ଭାନ୍’ ଚେନ୍ନାଇରୁ ପ୍ରାୟ ୫୭୦ କିଲୋମିଟର ପୂର୍ବରେ, ବିଶାଖାପାଟଣାରୁ ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ମଛଲିପାଟନମରୁ ୫୯୦ କିଲୋମିଟର ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ବ୍ୟତୀତ ଏହା ଗୋପାଳପୁରରୁ ୭୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀରୁ ୭୭୦ କିଲୋମିଟର ଦକ୍ଷିଣ ଦିଗରେ ଅବସ୍ଥିତ ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବ। ଶୁକ୍ରବାର ଅପରାହ୍ନରେ ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମୟରେ, ‘ଅକ୍ଭାନ୍’ର ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ ଏବଂ ଝଡ଼ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ତେବେ ପୂର୍ବରୁ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ଆହୁରି ଦକ୍ଷିଣ ଦିଗରେ ଅର୍ଥାତ୍ ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ନୂଆ ଆକଳନ ଅନୁଯାୟୀ ଏହା ନରସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।
