Cyclone Akvan: ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ଉତ୍ତର ଓଡ଼ିଶାରେ ସରକାରଙ୍କ ବଡ଼ ପ୍ରସ୍ତୁତି, ୩ ଜିଲ୍ଲାର ଦାୟିତ୍ୱରେ ବରିଷ୍ଠ IAS ଅଧିକାରୀ…
ଭୁବନେଶ୍ବର: ବଙ୍ଗୋପସାଗରରେ ଭୀଷଣ ରୂପ ନେଉଥିବା ବାତ୍ୟା ‘ଅକଭାନ’କୁ ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାତ୍ୟାର ପ୍ରଭାବ ଆଶଙ୍କା ଥିବାରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରଶାସନିକ ତଦାରଖକୁ ଅଧିକ ମଜବୁତ କରାଯାଇଛି। ଏଥିପାଇଁ ବରିଷ୍ଠ IAS ଅଧିକାରୀ ବିନୀତ ଭରଦ୍ୱାଜଙ୍କୁ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ବର୍ତ୍ତମାନ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବିନୀତ ଭରଦ୍ୱାଜ ମୟୂରଭଞ୍ଜରେ ବାତ୍ୟା ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ, ତଦାରଖ ଏବଂ ତ୍ୱରିତ କାର୍ଯ୍ୟକାରିତା ଦାୟିତ୍ୱ ସମ୍ଭାଳିବେ। ଏଥିରେ ସେ ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବେ। ସେହିପରି ଓଡ଼ିଶା ରାଜ୍ୟ ଯୋଗାଣ ନିଗମ (OSCSC)ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ତାଙ୍କୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରଶାସନିକ ଦାୟିତ୍ୱ ଦିଆଯାଇଥିବା ବେଳେ ଏବେ ସେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ଓ ପରିଚାଳନାର ତଦାରଖ କରିବେ। ନିଯୁକ୍ତ ଅଧିକାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚି ରିପୋର୍ଟ କରିବାକୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ନିଯୁକ୍ତି ବଳବତ୍ତର ରହିବ।
ଏହା ପୂର୍ବରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରିଛନ୍ତି। ୟାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ଅରବିନ୍ଦ ଅଗ୍ରୱାଲଙ୍କୁ ପୁରୀ, ସ୍ମୃତି ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା, ମାନସୀ ନିମ୍ଭାଲଙ୍କୁ ଗଜପତି ଏବଂ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ କନ୍ଧମାଳ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହା ସହ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ଅତିରିକ୍ତ OAS ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ୧୦ ଜଣ ବରିଷ୍ଠ IAS ଅଧିକାରୀ ୨୪ ଘଣ୍ଟିଆ ଡ୍ୟୁଟିରେ ରହିଛନ୍ତି।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ବାତ୍ୟା ‘ଅକଭାନ୍’ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତର ଆନ୍ଧ୍ରପ୍ରଦେଶ-ୟାନମ୍ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ପାଇଁ କମଳା ସତର୍କତା ଜାରି ହୋଇଛି। ପ୍ରବଳ ବର୍ଷା ସହ ଜୋର୍ ପବନ ହେବାର ଆଶଙ୍କା ରହିଛି।
ଅନ୍ୟପଟେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ଡ୍ୟାମ୍ରୁ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ଏବଂ NDRF, ODRAF ଓ ଅଗ୍ନିଶମ ବାହିନୀକୁ ମୁତୟନ କରିବା ଭଳି ପଦକ୍ଷେପ ଆରମ୍ଭ ହୋଇଛି। ସମସ୍ତ ବିଭାଗକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ ଲୋକଙ୍କୁ ଘର ଭିତରେ ରହିବା, ତଳିଆ ଅଞ୍ଚଳକୁ ଯାତାୟାତ ନ କରିବା ଏବଂ ସରକାରୀ ସତର୍କ ସୂଚନା ମାନିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
