Latest Odisha News

BREAKING NEWS

ୱେଟଲିଫ୍ଟିଂରୁ ବଡି ବିଲ୍ଡିଂ……ଜିତି ଚାଲିଛନ୍ତି ବିଶ୍ୱଜିତ

ପୁରୀ ଶ୍ରୀମନ୍ଦିରର ସେବକ ବିଶ୍ୱଜିତ ପ୍ରତିହାରୀ ପୂନର୍ବାରେ ନିଜକୁ ବିଶ୍ୱବିଜୟୀ ଭାବେ ପ୍ରମାଣିତ କରି ଚାଲିଛନ୍ତି । ପ୍ରତିକୂଳ ପରିସ୍ଥିତି ସତ୍ୱେ ସେ ଜିତି ଚାଲିଛନ୍ତି ।  ଶ୍ରୀମନ୍ଦିର ସେବା ସହିତ ଡାକ ବିଭାଗର ଚାକିରି ଓ ନିଜର କଠୋର ଅଭ୍ୟାସକୁ ସମାନ ଭାବେ ଜାରି ରଖି ବିଶ୍ୱଜିତ ପ୍ରତିହାରୀ ଅନ୍ତର୍ଜାତୀୟ ବଡି ବିଲ୍ଡିଂ ମଞ୍ଚରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।  ନିକଟରେ ସ୍ପେନର ସାଂଟାର ସୁସାନାରେ ସମ୍ପନ୍ନ ହୋଇଥିବା ଆଇଏଫବିବି ୱାର୍ଲ୍ଡ ମେନ୍ସ ଓ ଓମେନ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିିଛନ୍ତି ।

ୱେଟଲିଫ୍ଟିଂରେ ନିଜ କ୍ରୀଡା କ୍ୟାରିୟରକୁ ଠିକଣା ପଥରେ ନେଉଥିବା ବେଳେ ବିଶ୍ୱଜିତ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ସେ କିଛି ମାତ୍ରାରେ ନିରାଶ ହୋଇ ପଡିଥିଲେ । ପୂନର୍ବାର ଦୃଢ଼ ମନୋବଳ ସହକାରେ ସେ ବଡି ବିଲ୍ଡିଂ ପାଇଁ ନିଜକୁ ପ୍ରସ୍ତୁତ କଲେ ଏବେ ସେ ସଫଳତାରେ ସୋପାନ ଚଢ଼ିବା ସହ ଓଡିଶା ଏବଂ ପୁରୀକୁ ଗର୍ବିତ କରାଇଛନ୍ତି ।  ଜଣେ ବଡି ବିଲ୍ଡର ହେବା ପାଇଁ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅନେକ ସୁବିଧା ସହଯୋଗର ଆବଶ୍ୟକତା ରହିଛି ।

ଅବଶ୍ୟ ସେ ଏହା ଉପରେ ନିର୍ଭରଶୀଳ ନ ହୋଇ ନିଜ ଶିଙ୍ଘରେ ମାଟି ତାଡି ଚାଲିଛନ୍ତି । ଚାକିରୀ, ପରିବାର ଚଳାଇବା ସହ ବଡି ବିଲ୍ଡିଂ ପାଇଁ ସେ ନିଷ୍ଠାପର ଭାବେ ଉଦ୍ୟମ କରିଥାନ୍ତି । ତେବେ ସେ କ୍ଷୋଭର ସହ କହିଛନ୍ତି, ରାଜ୍ୟ ପାଇଁ ଆହୁରି ସଫଳତା ଆଣିବାକୁ ହେଲେ ମୋତେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମ୍ମାନ ଏବଂ ସହଯୋଗ ମିଳିବା ଦରକାର.. ।

୪୧ ବର୍ଷ ବୟସରେ ତାଙ୍କର ଏହି ସଫଳତା ପ୍ରମାଣ କରିଛି ଯେ ବୟସ କେବେବି ସ୍ୱପ୍ନ ପୂରଣରେ ବାଧକ ହୋଇପାରେ ନାହିଁ । ସ୍ପେନ୍‌ର ସାଣ୍ଟା ସୁସାନାଠାରେ ଅକ୍ଟୋବର ୨୯ରୁ ନଭେମ୍ବର ୨ ପର‌୍ୟ୍ୟନ୍ତ ଆୟୋଜିତ ଆଇଏଫବିବି ୱାର୍ଲ୍ଡ ମେନ୍ସ ଆଣ୍ଡ ୱିମେନ୍ସ ଚାମ୍ପିୟନଶିପ୍ ଏବଂ ଥାଇଲାଣ୍ଡର ପଟ୍ଟାୟାଠାରେ ନଭେମ୍ବର ୧୩ରୁ ୧୬ ପର‌୍ୟ୍ୟନ୍ତ ଆୟୋଜିତ ଏସୀୟ ଚାମ୍ପିୟନଶିପ୍‌ରେ ସେ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ୨୬ ବର୍ଷର କ୍ରୀଡ଼ା ଜୀବନରେ ୧୮ ବର୍ଷ ଭାରୋତ୍ତୋଳନ ଏବଂ ୭ ବର୍ଷ ବଡି ବିଲ୍ଡିଂରେ ସମର୍ପିତ କରିଥିବା ବିଶ୍ୱଜିତ୍ ଏବେ ଚାରିଟି ଅନ୍ତର୍ଜାତୀୟ ପଦକର ଅଧିକାରୀ ।  ଜଣେ ଭାରୋତ୍ତୋଳକରୁ ଅନ୍ତର୍ଜାତୀୟ ସ୍ତରର ସ୍ୱର୍ଣ୍ଣପଦକ ବିଜେତା ବଡି ବିଲ୍ଡର ହେବାର ତାଙ୍କ ଯାତ୍ରା ଆଜି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।

Leave A Reply

Your email address will not be published.