ଆସାମ : ଆସାମର ଜୋରହାଟ ଜିଲ୍ଲାରେ ଜଣେ ଭାରତୀୟ ସେନା ଡ୍ରାଇଭରଙ୍କୁ ସିଟ୍ ବେଲ୍ଟ ନ ପିନ୍ଧିବା ଅଭିଯୋଗରେ ଚାଲାଣ କାଟିବା ଜଣେ ମୋଟର ଯାନ ନିରୀକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ ଅଧିକାରୀଙ୍କୁ ଗୋଟିଏ କିମ୍ବା ଦୁଇ ଦିନ ପାଇଁ କାର୍ଯ୍ୟରୁ ନିବୃତ୍ତ କରାଯାଇଛି।
ବୁଧବାର ଦିନ ଜୋରହାଟ ସହରର ବ୍ୟସ୍ତବହୁଳ ଏଟି ରୋଡ୍ ସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ସମ୍ମୁଖରେ ସଡ଼କ ସୁରକ୍ଷା ଯାଞ୍ଚ ଚାଲିଥିଲା। ଏହି ସମୟରେ ଲିଚୁବାରୀ ସ୍ଥିତ ୪୧ ସବ୍-ଏରିଆର ଜଣେ ସେନା ଡ୍ରାଇଭର ଅନ୍ୟ ଜଣେ କନିଷ୍ଠ ଯବାନଙ୍କ ସହ ସରକାରୀ କାର୍ଯ୍ୟରେ ଯାଉଥିବା ବେଳେ MVI ସମିମ ସୁଲତାନା ତାଙ୍କୁ ଅଟକାଇଥିଲେ। ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ତାଙ୍କ ନାଁରେ ଚାଲାଣ କଟାଯାଇଥିଲା। ତେବେ ଡ୍ରାଇଭିଂ ଲାଇସେନ୍ସ ନଥିବା କାରଣରୁ କୌଣସି ଜରିମାନା ହୋଇନଥିବା ଜିଲ୍ଲା ପରିବହନ ଅଧିକାରୀ ଧନଞ୍ଜୟ ସାଇକିଆ ସ୍ପଷ୍ଟ କରିଛନ୍ତି। ଯାଞ୍ଚ ସମୟରେ ଅଧିକାରୀ ଜଣକ ସେନା ଡ୍ରାଇଭରଙ୍କ ସହ ସାମାନ୍ୟ ଉଚ୍ଚ ସ୍ୱରରେ କଥା ବାର୍ତ୍ତା କରିଥିବା ସ୍ୱୀକାର କରାଯିବା ସହ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଗତ ନଭେମ୍ବର ୧୩ ତାରିଖରେ ପଡ଼ୋଶୀ ଗୋଲାଘାଟ ଜିଲ୍ଲାରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିୟମିତ ଯାଞ୍ଚ ସମୟରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଏବଂ ସେନା କର୍ମଚାରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଜୋରହାଟ ଜିଲ୍ଲା ପ୍ରଶାସନ ଦୁଃଖ ପ୍ରକାଶ କରିଛି। ସଶସ୍ତ୍ର ବାହିନୀ ପ୍ରତି ପ୍ରଶାସନର ସର୍ବୋଚ୍ଚ ସମ୍ମାନ ରହିଛି ଏବଂ ସେମାନଙ୍କ ଭାବନାକୁ ଆଘାତ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି କୁହାଯାଇଛି।
ଏହି ଘଟଣା ନେଇ ୪୧ ସବ୍-ଏରିଆ ମୁଖ୍ୟାଳୟର ଜେନେରାଲ ଅଫିସର କମାଣ୍ଡିଂଙ୍କ ନେତୃତ୍ୱରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବେସାମରିକ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ସେନା, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ଗାଡ଼ି ଯାଞ୍ଚ ବେଳେ ସତର୍କତା ଏବଂ ସମ୍ବେଦନଶୀଳତା ଅବଲମ୍ବନ କରିବାକୁ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
