ଭୁବନେଶ୍ୱର: ଆସନ୍ତା କାଲିଠାରୁ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ତାପମାତ୍ରା କମିବା ଯୋଗୁଁ ଆସନ୍ତାକାଲିଠାରୁ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ପାଇବ। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଆଡ଼କୁ ଶୀତର ପ୍ରଭାବ ଅଧିକ ବଢ଼ିବ। ବାତ୍ୟା ପ୍ରଭାବ ଗଲା ପରେ ଆକାଶ ନିର୍ମଳ ହୋଇଯାଇଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୨ ତାରିଖରୁ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରବିବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତ୍ରିକାଳୀନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ।
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆସନ୍ତା ସାତ ଦିନ ପାଇଁ ଓଡ଼ିଶା ନିମନ୍ତେ କୌଣସି ଚେତାବନୀ ଜାରି କରାଯାଇନାହିଁ। ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ‘ଗ୍ରୀନ୍ ଜୋନ୍’ରେ ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୦ ତାରିଖରେ ବାତ୍ୟା ‘ଅକୱାନ’ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା। ବର୍ତ୍ତମାନ ଏହା ଦୁର୍ବଳ ହୋଇ ଓଡ଼ିଶା ଉପରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।
