Debasis Patnaik: ଦେବାଶିଷ ପଟ୍ଟନାୟକଙ୍କୁ ଏଆଇସିସି ସମ୍ପାଦକ ଦାୟିତ୍ୱ, ଓଡ଼ିଶା ପାଇଁ ଏହି ଦୁଇ ନେତାଙ୍କ ନାମ ନେଲା କଂଗ୍ରେସ…
ଭୁବନେଶ୍ୱର: ଜାତୀୟ ସ୍ତରରେ ସାଂଗଠନିକ ଶକ୍ତି ବଢ଼ାଇବା ଲକ୍ଷ୍ୟରେ କଂଗ୍ରେସରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ ହୋଇଛି। ବାଙ୍କୀର ପୂର୍ବତନ ବିଧାୟକ ତଥା ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକଙ୍କୁ ମିଳିଲା ଜାତୀୟ ସ୍ତରର ନୂଆ ଦାୟିତ୍ୱ। ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ୮୧ ଜଣ ନେତାଙ୍କୁ ଏଆଇସିସି ସମ୍ପାଦକ ଭାବେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସାଂଗଠନିକ ବିଭାଗର ଦାୟିତ୍ୱ ଦେଇଛନ୍ତି। ଏହି ନୂଆ ନିଯୁକ୍ତି ଓ ଦାୟିତ୍ୱ ପରିବର୍ତ୍ତନ ତାଲିକାରେ ଓଡ଼ିଶାର ନେତାଙ୍କୁ ମଧ୍ୟ ଗୁରୁତ୍ୱ ମିଳିଛି।
ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଛାତ୍ର ରାଜନୀତିରୁ ନିଜର ସାଂଗଠନିକ ଯାତ୍ରା ଆରମ୍ଭ କରିଥିବା ଦେବାଶିଷ ପୂର୍ବରୁ ଏନ୍ଏସ୍ୟୁଆଇର ରାଷ୍ଟ୍ରୀୟ ସମ୍ପାଦକ ଓ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ଉପସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଦଳର ‘ସଂଗଠନ ସୃଜନ’ ପ୍ରକ୍ରିୟାରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାମ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି।
ଅନ୍ୟପକ୍ଷରେ, ଏଆଇସିସିର ରାଜ୍ୟଭିତ୍ତିକ ଅଧିକାରିକ ତାଲିକାରେ ଓଡ଼ିଶା ପାଇଁ ଜେଟ୍ଟି କୁସୁମ କୁମାର ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ମଧ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ଏହାଦ୍ୱାରା ରାଜ୍ୟ କଂଗ୍ରେସର ସାଂଗଠନିକ କାର୍ଯ୍ୟରେ ଏହି ନେତାମାନଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ।
ଏହି ସାଂଗଠନିକ ପୁନର୍ଗଠନରେ ୨୫ ଜଣ ଏଆଇସିସି ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ପୂର୍ବ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟ, ଗଣମାଧ୍ୟମ, ପ୍ରଚାର, ସୋସିଆଲ ମିଡିଆ ଓ ବିଭିନ୍ନ ରାଜ୍ୟର ସାଂଗଠନିକ ଦାୟିତ୍ୱରେ ମଧ୍ୟ ନୂଆ ନିଯୁକ୍ତି ଓ ପୁନଃନିଯୁକ୍ତି କରାଯାଇଛି।
ଜିଲ୍ଲା ଓ ବ୍ଲକ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଆଗାମୀ ଦିନରେ କଂଗ୍ରେସର ରାଜନୈତିକ ରଣନୀତିକୁ ଅଧିକ ସକ୍ରିୟ କରିବା ଏହି ବ୍ୟାପକ ସାଂଗଠନିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
