Latest Odisha News

BREAKING NEWS

Blood Relative Marriages: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବନ୍ଦ ହେବ ବିବାହ? ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ! ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ ପରାମର୍ଶ, ଜାଣନ୍ତୁ କାହିଁକି ଉଠିଲା ପ୍ରଶ୍ନ?

ନୂଆଦିଲ୍ଲୀ: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନେଇ ଏକ ବଡ଼ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଆଇନ ଆଣିବାର ଆବଶ୍ୟକତା ରହିଛି କି ନାହିଁ, ତାହା ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ତେବେ ଏନେଇ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଉନାହିଁ, ବରଂ ଏହି ପ୍ରସଙ୍ଗରେ ସଚେତନ କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ।

ଶୁକ୍ରବାର ଦିନ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ‘କନସାଙ୍ଗୁଇନିଅସ୍ ମ୍ୟାରେଜ୍’ କୁହାଯାଏ। ଏପରି ବିବାହରୁ ଜନ୍ମିତ ସନ୍ତାନଙ୍କଠାରେ କେତେକ ବଂଶଗତ ରୋଗର ଆଶଙ୍କା ବଢ଼ିପାରେ ବୋଲି ଆବେଦନରେ ଯୁକ୍ତି ରଖାଯାଇଛି।

ଖଣ୍ଡପୀଠ କହିଛନ୍ତି, ଏଭଳି ବିବାହକୁ ନିୟନ୍ତ୍ରଣ କରିବା କୋର୍ଟଙ୍କ କାର୍ଯ୍ୟ ପରିସର ମଧ୍ୟରେ ଆସୁନାହିଁ। ଏଥିପାଇଁ ଯଦି କୌଣସି ସାମାଜିକ ସଂସ୍କାରମୂଳକ ଆଇନର ଆବଶ୍ୟକତା ରହିଛି, ତେବେ ତାହା ବିଧାନମଣ୍ଡଳର ଅଧିକାର ପରିସରଭୁକ୍ତ। କୋର୍ଟ କହିଛନ୍ତି, ଏହି ପ୍ରସଙ୍ଗରେ ଉପଯୁକ୍ତ ଆଇନ ଆଣିବା କିମ୍ବା ବିଭିନ୍ନ ମାଧ୍ୟମ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ କେନ୍ଦ୍ର ସରକାର ବିଚାର କରନ୍ତୁ। ଏଥିପାଇଁ ଶିକ୍ଷା ପାଠ୍ୟକ୍ରମରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ସାମିଲ କରିବା ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି।

ତେବେ ବେଙ୍ଗାଲୁରୁରେ ରହୁଥିବା ଆଇନ ଛାତ୍ରୀ ଚାର୍ଭି ଏସ୍. ଏହି ମାମଲା ଦାଏର କରିଥିଲେ। ତାଙ୍କ ଯୁକ୍ତି ଅନୁସାରେ, କେବଳ ପରମ୍ପରା ଓ ପ୍ରଥା ନାଁରେ ଏଭଳି ବିବାହକୁ ଆଇନଗତ ଅନୁମତି ମିଳିବା ଉଚିତ କି ନାହିଁ, ତାହା ଉପରେ ବିଚାର ହେବା ଆବଶ୍ୟକ। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ନିକଟ ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେଲେ ସନ୍ତାନଙ୍କଠାରେ କେତେକ ବଂଶଗତ ରୋଗର ଆଶଙ୍କା ବଢ଼ିପାରେ। ଏଥିରେ ରିସେସିଭ୍ ଜେନେଟିକ୍ ଡିସଅର୍ଡର, ଜନ୍ମଗତ ଶାରୀରିକ ଅସ୍ୱାଭାବିକତା, ଶ୍ରବଣ ଓ ଦୃଷ୍ଟିଶକ୍ତି ସମସ୍ୟା, ବିକାଶଜନିତ ଅକ୍ଷମତା ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଭଳି ବିପଦ ରହିଥିବା ଦାବି କରାଯାଇଛି। ଆବେଦନକାରୀଙ୍କ ଓକିଲ ଅଞ୍ଜୁମନ ତ୍ରିପାଠୀ ଯୁକ୍ତି ଦେଇଥିଲେ ଯେ, ବିଶେଷକରି ଗ୍ରାମାଞ୍ଚଳରେ ଅନେକ ଲୋକ ନିଜ ପରିବାର ମଧ୍ୟରେ ସମ୍ପର୍କୀୟଙ୍କୁ ବିବାହ କରୁଛନ୍ତି। କିନ୍ତୁ ଏହାର ସମ୍ଭାବ୍ୟ ଜେନେଟିକ୍ ପ୍ରଭାବ ବିଷୟରେ ସେମାନେ ଅବଗତ ନଥିବା ଆବେଦନରେ କୁହାଯାଇଛି। ତେଣୁ ଲୋକଙ୍କୁ ଏନେଇ ସଚେତନ କରିବା ଆବଶ୍ୟକ।

ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ବିବାହ ଏକ ବ୍ୟକ୍ତିଗତ ନିଷ୍ପତ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଷ୍ପତ୍ତି ନେବାର ସ୍ୱାଧୀନତା ରହିବା ଆବଶ୍ୟକ। ତେବେ ସେହି ନିଷ୍ପତ୍ତି ନେବା ପୂର୍ବରୁ ଏହାର ସମ୍ଭାବ୍ୟ ପରିଣାମ ବିଷୟରେ ଜାଣିବା ମଧ୍ୟ ଜରୁରୀ। ଏହି ପ୍ରସଙ୍ଗରେ HIV ସଂକ୍ରମିତ ବ୍ୟକ୍ତିଙ୍କୁ ବିବାହ କରିବା ସମ୍ପର୍କିତ ଏକ ପୂର୍ବ ମାମଲାର ଉଦାହରଣ ଦେଇଥିଲେ କୋର୍ଟ। ସେହି ମାମଲାରେ ମଧ୍ୟ ବିବାହକୁ ବ୍ୟକ୍ତିଗତ ପସନ୍ଦ ବୋଲି ବିଚାର କରାଯାଇଥିଲା।

ତେବେ କହିରଖୁଛୁ, ଆବେଦନକାରୀ ଚାର୍ଭି ନିଜେ ୪୦ ପ୍ରତିଶତ ଦୃଷ୍ଟିବାଧିତ। ତାଙ୍କ ଆବେଦନ ଅନୁସାରେ, ତାଙ୍କ ପିତାମାତାଙ୍କ ବିବାହ ପ୍ରଥମ ସମ୍ପର୍କୀୟଙ୍କ ମଧ୍ୟରେ ହୋଇଥିଲା ଏବଂ ଏହା ତାଙ୍କ ସମ୍ପ୍ରଦାୟର ଏକ ପୁରୁଣା ପରମ୍ପରା ଅନୁସାରେ ହୋଇଥିଲା।

ଆବେଦନରେ ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୫(୪) ଏବଂ ୫(୫) ଉପରେ ପ୍ରଶ୍ନ ଉଠାଯାଇଛି।

  • ଧାରା ୫(୪): ନିଷିଦ୍ଧ ସମ୍ପର୍କ ମଧ୍ୟରେ ଆସୁଥିବା ଦୁଇ ଜଣଙ୍କ ବିବାହ ସାଧାରଣତଃ ଅନୁମତିପ୍ରାପ୍ତ ନୁହେଁ। କିନ୍ତୁ ଉଭୟଙ୍କୁ ପରିଚାଳିତ କରୁଥିବା ପ୍ରଥା କିମ୍ବା ପରମ୍ପରା ଏପରି ବିବାହକୁ ଅନୁମତି ଦେଲେ ଏହା ସମ୍ଭବ।
  • ଧାରା ୫(୫): ଦୁଇ ଜଣ ପରସ୍ପରଙ୍କ ‘ସପିଣ୍ଡ’ ସମ୍ପର୍କୀୟ ହୋଇଥିଲେ ସେମାନଙ୍କ ବିବାହ ଅନୁମତିପ୍ରାପ୍ତ ନୁହେଁ। ତେବେ ପ୍ରଚଳିତ ପ୍ରଥା କିମ୍ବା ପରମ୍ପରା ଏହାକୁ ଅନୁମତି ଦେଲେ ବିବାହ ହୋଇପାରିବ।

ଆଇନ ଅନୁସାରେ, ମାଆଙ୍କ ପକ୍ଷରୁ ତୃତୀୟ ପିଢ଼ି ପର୍ଯ୍ୟନ୍ତ ଏବଂ ବାପାଙ୍କ ପକ୍ଷରୁ ପଞ୍ଚମ ପିଢ଼ି ପର୍ଯ୍ୟନ୍ତ ସମ୍ପର୍କକୁ ‘ସପିଣ୍ଡ’ ବା ଗୋଟିଏ ପରିବାରର ସମ୍ପର୍କ ଭାବେ ଗଣନା କରାଯାଏ। ଏହି ଗଣନାରେ ନିଜକୁ ପ୍ରଥମ ପିଢ଼ି ଭାବେ ଧରାଯାଏ।

ଆବେଦନକାରୀ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ଆଇନର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଏଭଳି ବିବାହ ପୂର୍ବରୁ କେତେକ ସୁରକ୍ଷାମୂଳକ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ଦାବି ହୋଇଛି। ସେଗୁଡ଼ିକ ହେଲା: ବିବାହ ପୂର୍ବରୁ ଜେନେଟିକ୍ କାଉନସେଲିଂ ବା ବଂଶଗତ ରୋଗ ସମ୍ପର୍କିତ ପରାମର୍ଶ, ସମ୍ଭାବ୍ୟ ବଂଶଗତ ବିପଦ ବିଷୟରେ ଉଭୟ ପକ୍ଷଙ୍କୁ ସୂଚନା ପ୍ରଦାନ, ଡାକ୍ତରୀ ପରାମର୍ଶ ଅନୁସାରେ ଜେନେଟିକ୍ ସ୍କ୍ରିନିଂ, ଅଧିକ ସଂଖ୍ୟାରେ ଏଭଳି ବିବାହ ହେଉଥିବା ଅଞ୍ଚଳରେ ସଚେତନତା ଓ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ରଖିବା ଉଚିତ୍  ବୋଲି ସେ ଦାବି କରିଛନ୍ତି । ଏଥିସହ ଏଭଳି ବିବାହକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ କିମ୍ବା ବ୍ୟାପକ ଆଇନଗତ ନିଷେଧ ବ୍ୟବସ୍ଥା ଆଣିବାକୁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି। ତେବେ ଏହି ପ୍ରସ୍ତାବିତ ବ୍ୟବସ୍ଥା ଯୋଗୁଁ ପୂର୍ବରୁ ହୋଇସାରିଥିବା ବିବାହକୁ ଅପରାଧ ଭାବେ ବିଚାର କରାଯିବା ଉଚିତ ନୁହେଁ କିମ୍ବା ସେଗୁଡ଼ିକର ଆଇନଗତ ସ୍ଥିତିକୁ ପ୍ରଭାବିତ କରାଯିବା ଉଚିତ ନୁହେଁ ବୋଲି ମଧ୍ୟ ଆବେଦନକାରୀ ସ୍ପଷ୍ଟ କରିଛନ୍ତି।

ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ଏବେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

Leave A Reply

Your email address will not be published.