ଭୁବନେଶ୍ୱର/ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ସୁନ୍ଦରଗଡ଼ ଜିଲ୍ଲାରେ ଡାଲମିଆ ସିମେଣ୍ଟ କାରଖାନାର ଖଣି ସମ୍ପ୍ରସାରଣ ପାଇଁ ହୋଇଥିବା ଜମି ଅଧିଗ୍ରହଣକୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ପୂର୍ବ ସମ୍ମତି ବିନା ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ବେଆଇନ।
ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ା, ବିହାବନ୍ଧ ଓ ଲାଞ୍ଜିବେର୍ଣ୍ଣାରେ ଡାଲମିଆ ସିମେଣ୍ଟର ଖଣି ପାଇଁ ପ୍ରାୟ ୨୭୩ ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ୨୦୨୪ର ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ମଧ୍ୟ ଖାରଜ କରିଛନ୍ତି। ୨୦୨୦ ଜାନୁଆରୀ ୨୬ରେ ଗ୍ରାମସଭା ଜମି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ତଥାପି ତତ୍କାଳୀନ ବିଜେଡି ସରକାର ଅଧିଗ୍ରହଣ ପ୍ରକ୍ରିୟାକୁ ଆଗେଇ ନେଇଥିଲେ। ବର୍ତ୍ତମାନର ବିଜେପି ସରକାର ମଧ୍ୟ ସୁପ୍ରିମକୋର୍ଟରେ ସେହି ଅଧିଗ୍ରହଣ ସପକ୍ଷରେ ଯୁକ୍ତି ରଖିଥିଲେ।
ଯେହେତୁ ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରାଯାଉଥିଲା, ତେଣୁ ଆଇନର ଧାରା ୨(୨)(ଖ) ଅନୁଯାୟୀ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (SIA) ସମୟରେ ଅତି କମ୍ରେ ୮୦% ପ୍ରଭାବିତ ପରିବାରଙ୍କ ସମ୍ମତି ନେବା ଆବଶ୍ୟକ ଥିଲା, ଯାହା ପାଳନ କରାଯାଇନଥିଲା। ମୂଲ୍ୟାଙ୍କନ କରିଥିବା ବିଶେଷଜ୍ଞ ଦଳରେ କମ୍ପାନୀ ସହ ଜଡ଼ିତ ଜଣେ ପରାମର୍ଶଦାତାଙ୍କୁ ସାମିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଏହାକୁ ଏକ “ଫିକ୍ସଡ୍ ମ୍ୟାଚ୍” (Fixed Match) ବୋଲି କହି ଭର୍ତ୍ସନା କରିଛନ୍ତି।
ସୁପ୍ରିମକୋର୍ଟ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ସ୍ପଷ୍ଟ କରିଛନ୍ତି। ପ୍ରଥମ ହେଉଛି – ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ପୂର୍ବ ସମ୍ମତି ବାଧ୍ୟତାମୂଳକ। ଦ୍ବିତୀୟ -ଘରୋଇ କମ୍ପାନୀ ପାଇଁ ୨୦୧୩ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ କରିବାକୁ ଅତି କମ୍ରେ ୮୦ ପ୍ରତିଶତ ପ୍ରଭାବିତ ପରିବାରଙ୍କ ପୂର୍ବ ସମ୍ମତି ଆବଶ୍ୟକ। ଏବଂ ତୃତୀୟ ହେଉଛି- କେବଳ ଖଣି ଲିଜ୍ ଓ କ୍ଷତିପୂରଣ ଆଧାରରେ ଜମି ମାଲିକଙ୍କ ଆଇନଗତ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ। ଏପରିକି ସାମାଜିକ ପ୍ରଭାବ ଆକଳନ କରୁଥିବା ବିଶେଷଜ୍ଞ କମିଟିରେ କମ୍ପାନୀ ସହ ଜଡ଼ିତ ଜଣେ ପରାମର୍ଶଦାତାଙ୍କୁ ସାମିଲ କରାଯିବାକୁ ନେଇ କୋର୍ଟ କଡ଼ା ସମାଲୋଚନା କରିଛନ୍ତି।
