Latest Odisha News

BREAKING NEWS

ବନ ବିଭାଗର ବଡ଼ ଧରଣର ଚଢାଉ: ଚାଲାଣ ବେଳେ ୩୯୦ଟି କଇଁଛ ଜବତ

ମାଲକାନଗିରି: କାଲିମେଳା ବନାଞ୍ଚଳ ଅଧୀନସ୍ଥ ଏମପିଭି-୭୪ (MPV-74) କୁମ୍ଭାର ସାହି ନିକଟରୁ ବନ ବିଭାଗ ଚଢ଼ାଉ କରି ୩୯୦ଟି ଜୀବନ୍ତ କଇଁଛ ଜବତ କରିଛି। ଗୁରୁବାର ରାତିରେ କୌଣସି ସୂତ୍ରରୁ ଖବର ପାଇ କାଲିମେଳା ବନ ବିଭାଗ କର୍ମଚାରୀମାନେ ଏମପିଭି-୭୪ (ନାଲାଗୁଣ୍ଠି ଛକ) ନିକଟରେ ଚଢ଼ାଉ କରିଥିଲେ।

ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିରୁ ୯ଟି ଅଖା ବସ୍ତାରେ ଭର୍ତ୍ତି ହୋଇଥିବା ୩୯୦ଟି ‘ଇଣ୍ଡିଆନ୍ ଫ୍ଲାପ୍-ସେଲ୍’ (Indian flap-shell) ପ୍ରଜାତିର ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଜବତ କଇଁଛଗୁଡ଼ିକର ମୋଟ ଓଜନ ପ୍ରାୟ ୩୭୬ କିଲୋଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ବନ ବିଭାଗର ଚଢ଼ାଉ ଦେଖି ଗାଡ଼ି ଚାଳକ ଓ ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଜବତ ହୋଇଥିବା ବୋଲେରୋ ଗାଡ଼ି (OR-02-AJ-1410) ଏବଂ କଇଁଛଗୁଡ଼ିକୁ କାଲିମେଳା ରେଞ୍ଜ ଅଫିସକୁ ଅଣାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଜବତ କରାଯାଇଥିବା କଇଁଛ ଓ ଗାଡ଼ିକୁ କାଲିମେଳା ରେଞ୍ଜ ଅଫିସକୁ ଅଣାଯାଇଛି ବୋଲି ମାଲକାନଗିରି ଡିଭିଜନାଲ୍ ଫରେଷ୍ଟ ଅଫିସର (DFO) ସାଇ କିରଣ ଡି.ଏନ୍. ସୂଚନା ଦେଇଛନ୍ତି। ଫେରାର ଡ୍ରାଇଭରଙ୍କୁ ଚିହ୍ନଟ କରିବା ସହ କଇଁଛଗୁଡ଼ିକ କେଉଁଠାରୁ ଆସିଥିଲା ​​ଏବଂ ସେଗୁଡ଼ିକୁ କେଉଁଠାକୁ ନିଆଯାଉଥିଲା, ସେ ସମ୍ପର୍କରେ ତଦନ୍ତ ଚାଲିଛି।

 

Leave A Reply

Your email address will not be published.