ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ରବିବାର ଭୋର ସମୟରେ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ କଟକ ଓ ଭୁବନେଶ୍ୱର ଭଳି ସହରରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ସମଗ୍ର ଅଞ୍ଚଳ ଏକ ମୋଟା କୁହୁଡ଼ି ଆସ୍ତରଣରେ ଆଚ୍ଛାଦିତ ହୋଇଯିବା କାରଣରୁ ଦୃଶ୍ୟମାନତା ବହୁତ କମିଯାଇଥିଲା। ବିଶେଷକରି ଭୋରରୁ ସକାଳ ୮ଟା ମଧ୍ୟରେ କୁହୁଡ଼ି ଅତ୍ୟଧିକ ଘନ ଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାରଣ ନିକଟରେ ଥିବା ଜିନିଷଗୁଡ଼ିକ ମଧ୍ୟ ଠିକ୍ ଭାବରେ ଦେଖାଯାଉ ନଥିଲା।
ସେପଟେ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ଶ୍ରୀମନ୍ଦିର ମଧ୍ୟ କୁହୁଡ଼ି ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ି ଚାଳକମାନେ କମ୍ ଗତିରେ ଗାଡ଼ି ଚଳାଇବା ସହ ‘ଫଗ୍ ଲାଇଟ୍’ ଏବଂ ‘ହଜାର୍ଡ ଲାଇଟ୍’ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଦୃଶ୍ୟମାନତା କମ୍ ରହିବା କାରଣରୁ ରାସ୍ତା ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା। ବିଶେଷକରି ବ୍ୟସ୍ତବହୁଳ ଜାତୀୟ ରାଜପଥ ଏବଂ ପ୍ରମୁଖ ସଂଯୋଗକାରୀ ରାସ୍ତାଗୁଡ଼ିକରେ।
ଅପରପକ୍ଷରେ ପାଣିପାଗ ସ୍ଥିତି ଅନୁଯାୟୀ, ଗତ କିଛି ଦିନ ଧରି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହିବା ଏବଂ ରାତିର ତାପମାତ୍ରା ହ୍ରାସ ପାଇବା କାରଣରୁ ଏହି ଘନ କୁହୁଡ଼ି ସୃଷ୍ଟି ହୋଇଛି।
