Latest Odisha News

BREAKING NEWS

AI-Powered Beach Cameras: ବାତ୍ୟା ଆସିବା ପୂର୍ବରୁ ବାଜିବ ଆଲର୍ଟ! ୨୪ ଘଣ୍ଟା ରଖିବ ନଜର…ଓଡ଼ିଶା ସମୁଦ୍ର କୂଳରେ ଲାଗିବ ସ୍ମାର୍ଟ କ୍ୟାମେରା

ଭୁବନେଶ୍ୱର: ସମୁଦ୍ରରେ ଝଡ଼ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା। ଉପକୂଳରେ କ’ଣ ଘଟୁଛି, ସମୁଦ୍ରର ସ୍ଥିତି କିପରି ରହିଛି, ତା’ ଉପରେ ରହିବ ନିରନ୍ତର ନଜର। ଏଥିପାଇଁ ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ ହେବ ଅତ୍ୟାଧୁନିକ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା। ରାଜ୍ୟର ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।

କେବଳ କ୍ୟାମେରା ଲଗାଇବା ନୁହେଁ, ଓଡ଼ିଶାରେ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ବା ଇନ୍‌କୋଇସ୍‌ (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସହ ସମୁଦ୍ରର ସ୍ଥିତି ଉପରେ ନିରନ୍ତର ନଜର ରଖାଯିବ। ସାମୁଦ୍ରିକ ଝଡ଼ ଓ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦର ସଠିକ୍ ପୂର୍ବାନୁମାନ କରିବା ସହ ଆଗୁଆ ସତର୍କ ସୂଚନା ଦେବାରେ ଏହା ସହାୟକ ହେବ।

ଏହାଦ୍ୱାରା ଉପକୂଳ ଅଞ୍ଚଳରେ ବିପଦର ଆଶଙ୍କା ଥିଲେ ତୁରନ୍ତ ପଦକ୍ଷେପ ନେବା ସହ ଲୋକଙ୍କୁ ସମୟ ପୂର୍ବରୁ ସଚେତନ କରାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ସାମୁଦ୍ରିକ ଗବେଷଣା ଓ ମହାସାଗର ସମ୍ବନ୍ଧୀୟ ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସହାୟକ ହେବ।

ଏହି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଖୁବ୍‌ଶୀଘ୍ର ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା INCOIS ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର ହେବ।

ବାତ୍ୟା, ଜୁଆର ଓ ସାମୁଦ୍ରିକ ବିପଦର ଆଶଙ୍କା ରହୁଥିବା ଓଡ଼ିଶାର ଦୀର୍ଘ ଉପକୂଳ ପାଇଁ ଏହି ପଦକ୍ଷେପ ଏକ ନୂଆ ନିରୀକ୍ଷଣ ଓ ଆଗୁଆ ସତର୍କତା ବ୍ୟବସ୍ଥା ଗଢ଼ିବାରେ ସହାୟକ ହେବ।

Leave A Reply

Your email address will not be published.