ଚଣ୍ଡିଗଡ଼: ବିମାନରେ ଆରାମଦାୟକ ଯାତ୍ରା ପାଇଁ ଅତିରିକ୍ତ ଟଙ୍କା ଦେଇ ସିଟ୍ ବୁକ୍ କରିବା ସତ୍ତ୍ୱେ ଯାତ୍ରୀଙ୍କୁ ନିର୍ଦ୍ଧାରିତ ସିଟ୍ ନଦେବା ଏକ ବିମାନ କମ୍ପାନୀକୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ ରାଜ୍ୟ ଖାଉଟି କମିଶନ ସମ୍ପୃକ୍ତ ଏୟାରଲାଇନ୍ସ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କ୍ଷତିପୂରଣ ରାଶିକୁ ୯ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହ ବୁକିଂ ବାବଦକୁ ନିଆଯାଇଥିବା ୪,୬୨୦ ଟଙ୍କାକୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣା ଅନୁଯାୟୀ, ଚଣ୍ଡିଗଡ଼ର ବାସିନ୍ଦା ଭିନୀତ ଖୁରାନା ୨୦୨୩ ଜାନୁଆରୀ ୧୬ ତାରିଖରେ ନିଜେ, ତାଙ୍କ ପତ୍ନୀ ଏବଂ ୪ ଜଣ ବନ୍ଧୁଙ୍କ ସହ ଚଣ୍ଡିଗଡ଼ରୁ ମୁମ୍ବାଇ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିଲେ। ସମସ୍ତେ ଏକାଠି ଏବଂ ଆରାମରେ ଯିବା ପାଇଁ ସେ ଜାନୁଆରୀ ୧୨ ତାରିଖରେ ଅତିରିକ୍ତ ୪,୬୨୦ ଟଙ୍କା ଦେଇ ୬ଟି ‘ଏକ୍ସଟ୍ରା-ଲେଗରୁମ୍’ ସିଟ୍ ସଂରକ୍ଷିତ କରିଥିଲେ। କିନ୍ତୁ ବିମାନବନ୍ଦରରେ ବୋର୍ଡିଂ ପାସ୍ ମିଳିବା ପରେ ସିଟ୍ ନମ୍ବର ବଦଳି ଯାଇଥିବା ଦେଖିବାକୁ ମିଳିଥିଲା। ବିମାନରେ ଭିଡ଼ ଥିବା ଦର୍ଶାଇ କମ୍ପାନୀ ପକ୍ଷରୁ କେବଳ ଭିନୀତ ଓ ତାଙ୍କ ପତ୍ନୀଙ୍କୁ ପ୍ରିମିୟମ୍ ଇକୋନୋମିକୁ ଅପଗ୍ରେଡ୍ କରାଯାଇଥିବା ବେଳେ ଅନ୍ୟ ୪ ବନ୍ଧୁଙ୍କୁ ଅଲଗା ଅଲଗା ସାଧାରଣ ସିଟ୍ ଦିଆଯାଇଥିଲା।
ଏନେଇ ଭିନୀତ ଅଭିଯୋଗ କରିବା ପରେ ଏୟାରଲାଇନ୍ସ ନିଜ ତ୍ରୁଟି ସ୍ୱୀକାର କରି ୪,୬୨୦ ଟଙ୍କା ଫେରସ୍ତ ଏବଂ ୫୦୦ ଟଙ୍କାର ଏକ ଭାଉଚର ଦେବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ମାନସିକ ନିର୍ଯାତନା ଓ ଅସୁବିଧାର ଅଭିଯୋଗ ଆଣି ସେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଜିଲ୍ଲା ଖାଉଟି କମିଶନ ୯ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କମ୍ କ୍ଷତିପୂରଣ ଦର୍ଶାଇ ଭିନୀତ ରାଜ୍ୟ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଶୁଣାଣି କରି କମିଶନ କହିଛନ୍ତି ଯେ କେବଳ ଟଙ୍କା ଫେରସ୍ତ କରିଦେଲେ ଯାତ୍ରୀ ଭୋଗିଥିବା ଅସୁବିଧା ଓ ଅପମାନର ଭରଣା ହୋଇପାରିବ ନାହିଁ । ଆଦେଶ ପାଇବାର ୪୫ ଦିନ ମଧ୍ୟରେ ଟଙ୍କା ନଦେଲେ ୧୨ ପ୍ରତିଶତ ସୁଧ ଦେବାକୁ କମିଶନ ସ୍ପଷ୍ଟ କରିଛନ୍ତି।
