Latest Odisha News

BREAKING NEWS

UP Cops Mistake: ବିଚାରପତି ଭାବି ଓୱେସୀଙ୍କୁ ଦେଇଦେଲେ ଗାର୍ଡ ଅଫ୍ ଅନର! କେମିତି ଏତେ ବଡ ଭୁଲ୍ କରିଦେଲା ପୋଲିସ୍? ଉପରୁ ତଳ ଯାଏଁ ହଇଚଇ…

ସାହାରନପୁର: ପୋଲିସର ବିଚିତ୍ର ଭୁଲ୍‌କୁ ନେଇ ଏବେ ଚର୍ଚ୍ଚାରେ ଉତ୍ତରପ୍ରଦେଶର ସାହାରନପୁର। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କୁ ଗାର୍ଡ ଅଫ୍ ଅନର ଦେବା ପାଇଁ ପ୍ରସ୍ତୁତ ହୋଇଥିବା ପୋଲିସ କର୍ମଚାରୀମାନେ ଭୁଲ୍‌ବଶତଃ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଘଟଣାକୁ ନେଇ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଶନିବାର ସକାଳେ ସାହାରନପୁର ସର୍କିଟ ହାଉସ୍‌ରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଆଗମନ ପାଇଁ ପୋଲିସ କର୍ମଚାରୀମାନେ ପୂର୍ବରୁ ପହଞ୍ଚି ପ୍ରସ୍ତୁତି କରିଥିଲେ। ବିଚାରପତିଙ୍କୁ ଗାର୍ଡ ଅଫ୍ ଅନର ଦେବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଥିଲା। ତେବେ ବିଚାରପତି ସର୍କିଟ ହାଉସ୍‌ରେ ପହଞ୍ଚିବା ପୂର୍ବରୁ ସେଠାରେ ଅଚାନକ ଆସି ପହଞ୍ଚିଥିଲେ ଅସଦୁଦ୍ଦିନ ଓୱେସୀ।

ଓୱେସୀଙ୍କ ଆସିବା ଆଗରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ନଥିବାରୁ ପୋଲିସ କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା କୁହାଯାଉଛି। ଏହାପରେ ସେମାନେ ଓୱେସୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବି ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଓୱେସୀ ମଧ୍ୟ ପୋଲିସର ଏହି ସମ୍ମାନକୁ ଗ୍ରହଣ କରିଥିଲେ। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେହି ସମୟରେ ଓୱେସୀଙ୍କ ସହ ଆଜାଦ ସମାଜ ପାର୍ଟି (କାଂଶୀରାମ)ର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ନେତା ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ସାହାରନପୁର ଆସିଥିଲେ। ନିକଟରେ ଉଭୟ ନେତା ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’ (SPM) ନାମରେ ଏକ ମିଳିତ ରାଜନୈତିକ ମଞ୍ଚ ଗଠନ କରି ୨୦୨୭ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ।

ଏହି ଘଟଣା ପରେ ସାହାରନପୁର ପୋଲିସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବରିଷ୍ଠ ପୋଲିସ ଅଧୀକ୍ଷକ (SSP) ଏହି ଘଟଣାର ତଦନ୍ତ ଭାର ଏସ୍‌ପି (ଗ୍ରାମାଞ୍ଚଳ)ଙ୍କୁ ଦେଇଛନ୍ତି। ତଦନ୍ତରେ ମିଳିବାକୁ ଥିବା ତଥ୍ୟ ଓ ପ୍ରମାଣ ଆଧାରରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ଗାର୍ଡ ଅଫ୍ ଅନର ହେଉଛି ଏକ ଔପଚାରିକ ସମ୍ମାନ ପ୍ରଦର୍ଶନ ପ୍ରକ୍ରିୟା। ଏଥିରେ ପୋଲିସ କିମ୍ବା ସୁରକ୍ଷା କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ଠିଆ ହୋଇ ଯୋଗ୍ୟ ବ୍ୟକ୍ତିଙ୍କୁ ସାଲ୍ୟୁଟ୍ ଦେଇ ସମ୍ମାନ ଜଣାଇଥାନ୍ତି। ତେବେ ଏହି କ୍ଷେତ୍ରରେ ଠିକ୍ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ପୋଲିସର ଏଭଳି ତ୍ରୁଟିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.